ପୁରୀକ୍ଲବ ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ କ୍ଲବ ଭୁବନେଶ୍ୱର କ୍ଲବ ସହ ସହବନ୍ଧିତ

ଭୁବନେଶ୍ୱର : ୧୯୨୮ ମସିହାରେ ପ୍ରତିଷ୍ଠିତ ଐତିହ୍ୟ ସଂପନ୍ନ ପୁରୀକ୍ଲବ ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ କ୍ଲବ ଭୁବନେଶ୍ୱର କ୍ଲବ ସହ ସହବନ୍ଧିତ ହୋଇଛି। ଭୁବନେଶ୍ୱର କ୍ଲବ ପକ୍ଷରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ରବିବାର ଦିନ ପୁରୀକ୍ଲବ ର ବାର୍ଷିକ ସାଧାରଣ ଅଧିବେସନରେ କ୍ଲବ ର ଅଧ୍ୟକ୍ଷ ପୁରୀର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସଂପାଦକ ହରିହର ଗୁରୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ବିବରଣୀ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ଆଶୀଷ ଶତପଥୀ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। କ୍ଲବର ଦୁଇଶହ ରୁ ଉର୍ଦ୍ଧ୍ୱ ସଦସ୍ୟସଦସ୍ୟା ସଭାରେ ଉପସ୍ଥିତ ରହି ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ। ସଂପାଦକ ଶ୍ରୀ ଗୁରୁ ଓ ଟିମ୍ ଙ୍କ ଦ୍ୱାରା କରାଯାଇଥିବା ଉନ୍ନତିକରଣ କାର୍ଯ୍ୟ ମାନଙ୍କୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ସଭାରେ କ୍ଲବର ସଦସ୍ୟ ତଥା ସତ୍ୟବାଦୀର ବିଧାୟକ ଓମ୍ ପ୍ରକାଶ ମିଶ୍ର ମଞ୍ଚାସୀନ ଥିଲେ। ସାଧାରଣ ସଭାର ଶେଷରେ କାର୍ଯ୍ୟକାରିଣୀ ସଦସ୍ୟ ରବିନାରାୟଣ ସାହୁ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୬-୨୮ ଦୁଇବର୍ଷ ନିମନ୍ତେ କ୍ଲବ ର କର୍ମକର୍ତ୍ତା ନିର୍ବାଚନ ଆୟୋଜିତ ହୋଇଥିଲା। ପୁରୀର ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କୁ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୁରୀର ଜିଲ୍ଲାପାଳ କ୍ଲବର ଅଧ୍ୟକ୍ଷ, ପୁରୀର ଏସ୍.ପି ସହ-ଅଧ୍ୟକ୍ଷ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀ ସ୍ଥାୟୀ ଉପାଧ୍ୟକ୍ଷ ଅଛନ୍ତି। ନିର୍ବାଚନରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ନଳିନୀ ରଞ୍ଜନ ମିଶ୍ର ଓ ଅଜିତ କୁମାର ରାୟ ଉପସଭାପତି ଭାବେ ଏବଂ ରବିନାରାୟଣ ସାହୁ ସଂପାଦକ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ସିଧାସଳଖ ପ୍ରତିଦ୍ୱନ୍ଦିତାରେ ଯୁଗ୍ମସଂପାଦକ ଭାବେ ସାମ୍ବାଦିକ ନାରାୟଣ ଦାଶ ଓ କୋଷାଧ୍ୟକ୍ଷ ଭାବେ ଅରୁଣ କୁମାର ରାୟ ନିର୍ବାଚିତ ହୋଇଥିବା ବେଳେ ରାଜକିଶୋର ପାତ୍ର, ଡଃ ବିଶ୍ବନାଥ ମିଶ୍ର, ନୂତନ ଦାସମହାପାତ୍ର ଏବଂ ରଶ୍ମିରଞ୍ଜନ ସାହୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ସଂଧ୍ୟାରେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଭୁବନେଶ୍ୱର କ୍ଲବର ସଭାପତି ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରାକ୍ତନ ପ୍ରଶାସକ ଅନୀଲ କୁମାର ସାମଲ, ସଂପାଦକ ହରିହର ଗୁରୁ ଓ ଅନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ କ୍ଲବରେ ନିର୍ମିତ ନୂତନ କୋଠରୀ, ଜିମ୍, ବିଲିଆର୍ଡ଼ ରୁମ୍, ସେଲିବ୍ରେସନ ହଲ୍ ଓ ସ୍ବିମିଙ୍ଗ୍ ପୁଲ୍ ଆଦିକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ବନ୍ଧୁମିଳନ ରେ କ୍ଲବ ର ଅନେକ ସଦସ୍ୟ ପରିବାର ସହ ଯୋଗଦାନ କରି ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ଲବ ର ବିକାଶଧାରା ଓ ଆତିଥେୟତା ପରଂପରା ଆଗକୁ ମଧ୍ୟ ଜାରିରହିବ ବୋଲି ନୂତନ ସଂପାଦକ ଶ୍ରୀ ସାହୁ ଙ୍କ ସମେତ କର୍ମକର୍ତ୍ତା ଗଣ ଘୋଷଣା କରିଛନ୍ତି।
