ରାସ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ

ରାହାମା : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ତିର୍ତ୍ତୋଲରେ ଏକ ନିଆରା ଢଙ୍ଗରେ ସଡ଼କ ସୁରକ୍ଷାର ବାର୍ତ୍ତା ଦେଲା ଓଡ଼ିଶା ରାସ୍ତା ସୁରକ୍ଷା ମଞ୍ଚ। କଟକ–ପାରାଦ୍ୱୀପ ମୁଖ୍ୟରାସ୍ତାର ତିର୍ତ୍ତୋଲ କଲେଜ ସମ୍ମୁଖରେ ନିୟମ ମାନି ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ରାସ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଯାଇଥିଲା। ଅନ୍ୟପକ୍ଷରେ, ଅମାନିଆ ଗାଡ଼ି ଚାଳକମାନଙ୍କୁ ନିଜ ପରିବାରର ଦାୟିତ୍ୱ ମନେ ପକାଇ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରାସ୍ତା ସୁରକ୍ଷା ମଞ୍ଚର ସ୍ୱେଚ୍ଛାସେବୀ, ସ୍ମୃତି ଅନୁଷ୍ଠାନର ମହିଳା କର୍ମୀ ଏବଂ ତିର୍ତ୍ତୋଲ କଲେଜର ଏନ୍‌ସିସି ଛାତ୍ରଛାତ୍ରୀ ଯୋଗଦେଇ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ବୁଝାଇଥିଲେ।
କାର୍ଯ୍ୟକ୍ରମକୁ ଓଡ଼ିଶା ରାସ୍ତା ସୁରକ୍ଷା ମଞ୍ଚର ରାଜ୍ୟ ସଭାପତି ଡ଼. ଅରୁଣ କୁମାର ପାଣି ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ‘ସୁଶ୍ରୀ ଶୁଭଶ୍ରୀ’ର ସମ୍ପାଦିକା ଡ଼. ବସନ୍ତ ମଞ୍ଜରୀ ଦାସ ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ରଜନୀଦେବୀ ଜରାଶ୍ରମର ଅଧ୍ୟକ୍ଷା ତଥା ଆଇନଜୀବୀ ମଞ୍ଜୁଲତା ରାଉତ, ବରେଣ୍ୟ ଅତିଥି ଅମରଜ୍ୟୋତି ସାହୁ, ମୁଖ୍ୟ ବକ୍ତା ଭାବେ ସ୍ମୃତିର ଅଧ୍ୟକ୍ଷା କନକଳତା ସୂତାର ଏବଂ ସମ୍ମାନିତ ଅତିଥି ଭାବେ ହେମନ୍ତ କୁମାର ନାୟକ, ଏନ୍‌ସିସି ଅଧ୍ୟାପକ ଅଶୋକ କୁମାର ଦାସ, ପୋଲିସ କର୍ମଚାରୀ ଏଲ୍. ରୋଶନ,ଚନ୍ଦ୍ରକାନ୍ତ ବାରିକ, ପ୍ରଭାତ ପରିଡ଼ା, ଶ୍ରୀକାନ୍ତ ଦାଶ,ସତ୍ୟପ୍ରକାଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନା ରେ ବିଶ୍ୱଜିତ ବେହେରା, ମନୋଜ ସେଠୀ, ପୁଷ୍ପାଞ୍ଜଳି ଛୋଟରାୟ, ତପସ୍ୱିନୀ ବାରିକ, କବିତା ମିଶ୍ର, ପଦ୍ମାବତୀ ଦାସ, ଛବିରାଣୀ ସାହୁ, ଆଶାଲତା ମଲ୍ଲିକ, ସସ୍ମିତା ଜେନା, ପ୍ରଭାସିନୀ ବାରିକ, ପ୍ରଦୋଷିନୀ ସୂତାର ଓ ବାସୁଦେବ ବାରିକ ପ୍ରମୁଖ ସହଯୋଗ କରିଥିଲେ।
“ରାକ୍ଷୀର ବନ୍ଧନ ଭାଇ-ଭଉଣୀଙ୍କ ସମ୍ପର୍କକୁ ଯେପରି ସୁରକ୍ଷାର ପ୍ରତିଶ୍ରୁତି ଦିଏ, ସେହିପରି ସଡ଼କରେ ନିୟମ ମାନିବା ମଧ୍ୟ ଆମ ପରିବାର ପ୍ରତି ଏକ ବଡ଼ ଦାୟିତ୍ୱ।”

Share the News .....

Leave a Reply

Your email address will not be published. Required fields are marked *