ସର୍ଦ୍ଦାର ପଟେଲ ଙ୍କ ସ୍ମୃତିରେ ପଦଯାତ୍ରା ଅନୁଷ୍ଠିତ

ପୁରୀ : ବୁଧବାର ପୂର୍ବାହ୍ନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକ ପଦଯାତ୍ରା ତାଳବଣିଆ ସ୍ପୋର୍ଟ୍ସକମ୍ପ୍ଲେକ୍ସ ଠାରୁ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାକୁ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପତାକା ଦେଖାଇ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ଶ୍ରୀ ସେଠୀ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଆଦର୍ଶ, ଚରିତ୍ର ଓ ସାହସ ଚିର ବନ୍ଦନୀୟ ବୋଲି କହିଥିଲେ। ଦେଶକୁ ସ୍ବାଧୀନ କରିବା ସହ ରାଜାରାଜୁଡା ଓ ଜମିଦାରଙ୍କୁ ବୁଝାଇ ସେହି ରାଜ୍ୟ ଗୁଡିକୁ ଦେଶରେ ସାମିଲ କରି ଏକ ଦୃଢ, ସାର୍ବଭୌମ ରାଷ୍ଟ୍ର ଗଠନରେ ସର୍ଦ୍ଦାରଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ।ତାଙ୍କ ଆଦର୍ଶକୁ ଅନୁସରଣ କରିପାରିଲେ ଆମ ରାଷ୍ଟ୍ର ସମୃଦ୍ଧ ଓ ବିକଶିତ ହୋଇ ପାରିବ ବୋଲି ଶ୍ରୀ ସେଠୀ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଖୋଖୋ ଖେଳର ଜାତୀୟ କୋଚ ସଞ୍ଜୀବ ଶର୍ମା, କୋଚ ପାର୍ଥ ସାରଥୀ ମହାପାତ୍ର ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ,ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
