ଗୋପରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ପୁରୀ : ଗୋପ ବଜାରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ବଡ ଉତ୍ସାହ ସହ ପାଳନ କରାଯାଇଛି। ବିଭିନ୍ନ ସ୍ତରର ନେତୃତ୍ୱ ଓ ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଉତ୍ସବମୟ କରିଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ବତନ ସରପଞ୍ଚ ଓ ପୂର୍ବତନ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ, ବର୍ତ୍ତମାନ ବ୍ଲକ ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ (ଟୁଲୁ) ଦଳର ଦୀର୍ଘ ସଂଘର୍ଷମୟ ଯାତ୍ରାକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ, ଶୃଙ୍ଖଳା ଓ ଦଳପ୍ରତି ଅଟୁଟ ବିଶ୍ୱାସର ପରିଣାମରୂପେ ଆଜି କେନ୍ଦ୍ର ଓ ରାଜ୍ୟରେ ବିଜେପି ସ୍ୱୟଂଶକ୍ତିରେ ସରକାର ଗଠନ କରିପାରିଛି।ସେ ଆହୁରି କହିଥିଲେ ଯେ, ଦଳ ଦ୍ୱାରା ନିର୍ଦ୍ଦିଷ୍ଟ ବହୁ ସଂକଳ୍ପ ଆଜି ସିଦ୍ଧି ଆରୂପ ପାଇଛି। ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସେଥିରେ ଏକ ଐତିହାସିକ ସଫଳତା ଭାବେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଦଳର ଲକ୍ଷ୍ୟ ଓ ସଂଗଠନ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ସେ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ।ଗୋପ ମଣ୍ଡଳ ସଭାପତି ବିଜୟ ନାୟକ ସଭାପତିତ୍ୱ କରି ଦଳୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ପଞ୍ଚାୟତ ଓ ବୁଥରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କ ବ୍ୟାପକ ଉପସ୍ଥିତି ଦଳର ମୂଳସ୍ତରର ସଂଗଠନକୁ ପ୍ରକାଶ କରିଥିଲା।ତେବେ କିଛି ପୁରୁଖା ନେତାଙ୍କ ଅନୁପସ୍ଥିତି କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏନେଇ ପ୍ରତିକ୍ରିୟା ଦେଇ ସୁଶାନ୍ତ ସ୍ୱାଇଁ କହିଥିଲେ ଯେ, ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଅନେକ ନେତାଙ୍କୁ ଅଲଗା ଅଲଗା ସ୍ଥାନରେ ଯୋଗଦେବାକୁ ଦଳୀୟ ନିର୍ଦେଶ ରହିଛି।ଅନ୍ୟପଟେ, ଗୋପ-ନିମାପଡ଼ା ଅଞ୍ଚଳର ରାଜନୀତିରେ ନୂଆ ଉତ୍ତେଜନା ଦେଖାଦେଇଛି। ସମୀର ଓ ପ୍ରଭାତୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇବା ସହିତ ଦଳୀୟ ପରିସ୍ଥିତି ଗରମ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ସମୀରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ରାଜ୍ୟ ନେତୃତ୍ୱଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି।ଏହା ପରେ ଗୋପ-ନିମାପଡ଼ା ବିଜେପି ରାଜନୀତି କେଉଁ ଦିଗକୁ ଗତି କରିବ, ସେଥିପାଇଁ ସ୍ଥାନୀୟ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଏକପଟେ କାର୍ଯ୍ୟକର୍ତ୍ତାଙ୍କ ଭାରି ଉପସ୍ଥିତି ଦଳର ସଂଗଠନ ଶକ୍ତିକୁ ପ୍ରକାଶ କରୁଥିବା ବେଳେ, ଅନ୍ୟପଟେ ଅଭ୍ୟନ୍ତରୀଣ ଅସନ୍ତୋଷ ଆଗାମୀ ଦିନରେ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Share the News .....

Leave a Reply

Your email address will not be published. Required fields are marked *