ପୋସ୍କୋ ମାମଲାରେ ୨୦ ବର୍ଷ କଠୋର କାରାଦଣ୍ଡ

ସତ୍ୟବାଦୀ : ପୁରୀ ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ମାମଲାଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ଓ ଦୃଢ଼ ଆଇନଗତ ପଦକ୍ଷେପ ଜାରି ରଖିଥିବା ପୁରୀ ପୋଲିସ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ସଫଳତା ଲାଭ କରିଛି। ୨୫ ଫେବୃଆରୀ ରେ ପୁରୀର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍-କମ୍-ବିଶେଷ ଆଦାଲତ (POCSO) ଙ୍କ ଆଦାଲତରେ T.R. ନମ୍ବର ୦୩/୨୫ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାରେ ସତ୍ୟବାଦୀ ଥାନା କେସ୍ ନମ୍ବର ୩୧୭/୨୦୨୪ ର ଅଭିଯୁକ୍ତ ଦଇନ ବରାଳ @ ପ୍ରମୋଦ ବରାଳଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୫(୨) ଏବଂ POCSO ଆଇନର ଧାରା ୬ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମହାନୀୟ ଆଦାଲତ ତାଙ୍କୁ ୨୦ ବର୍ଷ କଠୋର କାରାଦଣ୍ଡ ସହିତ ରୁ. ୧୦,୦୦୦/- ଜରିମାନା ଦଣ୍ଡ ଦେଇଛନ୍ତି। ଜରିମାନା ଅଦାୟ ନ କଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଆଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପୁରୀ ଜିଲ୍ଲା ପାଇଁ ନୂତନ ବର୍ଷ ୨୦୨୬ ର ଫେବୃଆରୀ ମାସରେ ଷଷ୍ଠ ଦୋଷସାବ୍ୟସ୍ତ ରାୟ ରୂପେ ଗଣ୍ୟ ହେବ। ଶିଶୁଙ୍କ ଉପରେ ହୋଇଥିବା ଅପରାଧ ପ୍ରତି ପୁରୀ ପୋଲିସର ଶୂନ୍ୟ ସହିଷ୍ଣୁତା ନୀତିର ଏହା ଆଉ ଏକ ପ୍ରମାଣ।ଏହି ମାମଲାର ସଫଳ ତଦନ୍ତ, ପ୍ରମାଣ ସଂଗ୍ରହ ଓ ସାକ୍ଷ୍ୟ ପ୍ରଦାନରେ ତଦନ୍ତକାରୀ ଅଧିକାରୀ ଓ ଥାନା କର୍ମଚାରୀମାନଙ୍କ ମୂଲ୍ୟବାନ ଭୂମିକା ରହିଛି। ଆଦାଲତରେ ମାମଲାକୁ ସୁଚାରୁ ଭାବେ ପରିଚାଳନା କରିବାରେ ବିଶେଷ ସରକାରୀ ଅଭିଯୋଜକ ଙ୍କ ପ୍ରଭାବଶାଳୀ ଯୁକ୍ତି ଓ ସମନ୍ୱୟ ଏହି ଦୋଷସାବ୍ୟସ୍ତ ରାୟକୁ ସୁନିଶ୍ଚିତ କରିଛି।ପୁରୀ ଏସ.ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱ ଓ ଟିମ୍ୱର୍କ ମାଧ୍ୟମରେ ଏହି ସଫଳତା ଅର୍ଜିତ ହୋଇପାରିଛି।
