ଅବୈଧ ବାଲି ଚାଲାଣ ବିରୋଧରେ ପୁରୀ ପୋଲିସର ୨୧୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ : ପୁରୀ ଜିଲ୍ଲାରେ ଅବୈଧ ବାଲି ଓ ପଥର ଖଣନ, ପରିବହନ ଏବଂ ଅନଧିକୃତ ବ୍ୟବସାୟକୁ ରୋକିବା ପାଇଁ ପୁରୀ ପୋଲିସ ଦ୍ୱାରା ୨୦୨୫ ମସିହାରୁ ଏପର୍ଯ୍ୟନ୍ତ ନିୟମିତ ଓ କଠୋର ଭାବରେ ବିଶେଷ ଅଭିଯାନ ଚାଲିଆସୁଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ସରକାରୀ ରାଜସ୍ୱ ରକ୍ଷା ଏବଂ ସାଧାରଣ ଲୋକଙ୍କ ଜୀବନ-ଜୀବିକାକୁ ସୁରକ୍ଷିତ ରଖିବା। ଏହି ଅବଧିରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅବୈଧ ବାଲି ଓ ପଥର ଖଣନ ସମ୍ପର୍କିତ ମୋଟ ୧୬୫ଟି ମାମଲା ରେଜିଷ୍ଟ୍ର କରାଯାଇଛି। ଯେଉଁଥିରେ ପୂର୍ବବର୍ଷରେ ୧୪୬ଟି ମାମଲା ରେଜିଷ୍ଟ୍ର ହୋଇଥିଲା। ଚଳିତ ମାସରେ ମାତ୍ର ୧୯ଟି ନୂଆ ମାମଲା ରେଜିଷ୍ଟ୍ର କରାଯାଇଥିବା ଏହି ଅଭିଯାନର ତୀବ୍ରତାକୁ ସ୍ପଷ୍ଟ କରୁଛି। ଅବୈଧ ଖଣନ ମାମଲାରେ ଜଡିତ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇ ମୋଟ ୨୧୭ ଜଣ ଅଭିଯୁକ୍ତ ଗିରଫ କରାଯାଇଛନ୍ତି। ଏହାସହ ଆବଶ୍ୟକ ତଦନ୍ତ ପରେ ୧୦୩ଟି ମାମଲାରେ ଚାର୍ଜସିଟ୍ ସମ୍ପୃକ୍ତ ଅଦାଲତରେ ଦାଖଲ କରାଯାଇଛି, ଯାହା ଆଇନ ଅନୁଯାୟୀ ଦୋଷୀମାନଙ୍କୁ ଶାସନ ନିଶ୍ଚିତ କରିବାରେ ସାହାଯ୍ୟ କରିବ।
ଏହି ଅଭିଯାନକୁ ପୁରୀ ଜିଲ୍ଲାର ସମସ୍ତ ୪ଟି ସବ୍-ଡିଭିଜନ୍ ଅନ୍ତର୍ଗତ ସମାନ ଭାବରେ କାର୍ଯ୍ୟକାରୀ କରାଯାଇଛି। ସିଟି ସବ୍-ଡିଭିଜନ୍, ପିପିଲି ସବ୍-ଡିଭିଜନ୍, ନିମାପଡ଼ା ସବ୍-ଡିଭିଜନ୍, ସଦର ସବ୍-ଡିଭିଜନ୍ ରେ ଥିବା ଥାନାମାନଙ୍କୁ ସକ୍ରିୟ କରି ରାତ୍ରି ଓ ଦିନକାଳୀନ ପାଟ୍ରୋଲିଂ, ଚେକିଂ, ଅଭିଯାନ ଓ ଆକସ୍ମିକ ରେଡ୍ ଜରିଆରେ ଅବୈଧ ଖଣନ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଉଛି। ଅନଧିକୃତ ବାଲି ଓ ପଥର ପରିବହନରେ ବ୍ୟବହୃତ ଯାନବାହନ ଜବତ, ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସିଜ୍ କରାଯାଇଛି। ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ ଅବୈଧ ବାଲି ଓ ପଥର ଖଣନ ପରିବେଶ ପାଇଁ ଭୟାବହ ହୋଇଥିବା ସହ ସରକାରୀ ରାଜସ୍ୱକୁ ବଡ଼ ପରିମାଣର କ୍ଷତି ପହଞ୍ଚାଉଛି। ଏହି ଅପରାଧରେ ଜଡିତ କାହାକୁ ମଧ୍ୟ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ ଏବଂ ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଆହୁରି ତୀବ୍ର କରାଯିବ। ସାଧାରଣ ନାଗରିକମାନଙ୍କୁ ଅବୈଧ ଖଣନ ସମ୍ପର୍କିତ କୌଣସି ସୂଚନା ମିଳିଲେ ସମ୍ପୃକ୍ତ ପୋଲିସ ଥାନାକୁ ତତକ୍ଷଣାତ୍ ଅବଗତ କରିବାକୁ ପୁରୀ ପୋଲିସ ଅନୁରୋଧ କରିଛି। ଲୋକଙ୍କ ସହଯୋଗରେ ମାତ୍ର ଏହି ପ୍ରକାର ଅପରାଧକୁ ରୋକାଯାଇପାରିବ ବୋଲି ପୋଲିସ ଆଶା ପ୍ରକାଶ କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *