ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ମାଇକ୍ରୋ ଲେଭେଲ୍ ସୁରକ୍ଷା ସମୀକ୍ଷା

ପୁରୀ : ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ଗୁଣ୍ଡିଚା ମନ୍ଦିର ପରିସର ଓ ସଂଲଗ୍ନ ଅଞ୍ଚଳରେ ଏସ୍.ପି. ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ମାଇକ୍ରୋ ଲେଭେଲ୍ ସୁରକ୍ଷା ସମୀକ୍ଷା ଓ ଭୂମିସ୍ତରୀୟ ଇନ୍ସପେକ୍ସନ୍ । ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀରେ ଆସନ୍ତା ରଥଯାତ୍ରା ୨୦୨୬ ଉପଲକ୍ଷେ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷିତରେ, ସାର୍ବଜନୀନ ସୁରକ୍ଷା, ଶାନ୍ତି ଶୃଙ୍ଖଳା, ଯାତାୟାତ ପରିଚାଳନା ଓ ସୁସଂଗଠିତ ଭିଡ଼ ପରିଚାଳନାକୁ ସୁନିଶ୍ଚିତ କରିବା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ତୀବ୍ର ଗତିରେ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ପୁରୀ ଏସ୍.ପି. ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର ପରିସର ଓ ସଂଲଗ୍ନ ବିଭିନ୍ନ ସାହି, ଗଳି, ଲେନ୍ ଓ ବାଇ ଲେନ୍‌ର ମାଇକ୍ରୋ ଲେଭେଲ୍ ସମୀକ୍ଷା ସହ ଭୂମିସ୍ତରୀୟ ଇନ୍ସପେକ୍ସନ୍ କରାଯାଇଛି। ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଇନ୍ସପେକ୍ସନ୍ ସମୟରେ ଅବକାଶ ଗଳି, ଫ୍ରେଣ୍ଡ୍ସ କ୍ଲବ ଗଳି, ମୁଣ୍ଡିଆ ମରା, ମାଟିଆପଡା, ଲାବଣ୍ୟ ଗଳି, ହରିହର ଗଳି, ଗୁଣ୍ଡିଚା ବିହାର ଗଳି, ବସ୍ ଷ୍ଟାଣ୍ଡ ଅଞ୍ଚଳ ସହିତ ପୁରୀ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଗ୍ରସ୍ତ କରାଯାଇଥିଲା। ଏହି ସମସ୍ତ ଅଞ୍ଚଳ ମାଧ୍ୟମରେ ରଥଯାତ୍ରା ସମୟରେ ଓ ସାଧାରଣ ଦିନରେ ମଧ୍ୟ ବିଶାଳ ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟାତ ହୋଇଥାଏ।ଇନ୍ସପେକ୍ସନ୍ ସମୟରେ ଏସ୍.ପି. ପୁରୀ ଶ୍ରୀ ପ୍ରତୀକ ସିଂହ ନିଜେ ଲେନ୍ ଓ ବାଇ-ଲେନ୍‌ଗୁଡ଼ିକର ଚଉଡ଼ା, ରାସ୍ତାର ଭୌତିକ ଅବସ୍ଥା, ସମ୍ଭାବ୍ୟ ଟ୍ରାଫିକ୍ ଅବରୋଧ ସ୍ଥାନ, ଅନାବଶ୍ୟକ ଓ ଅବୈଧ ପାର୍କିଂ, ଭିଡ଼ ପ୍ରବଣ ଅଞ୍ଚଳ, ଅନ୍ଧାର ସ୍ଥାନ, ଆଲୋକ ବ୍ୟବସ୍ଥା, ସିସିଟିଭି କଭରେଜ୍, ଫାୟାର୍ ସେଫ୍ଟି, ଏବଂ ଆପାତକାଳୀନ ସ୍ଥିତିରେ ରେସ୍କ୍ୟୁ ଓ ଏକ୍ସେସ୍ ରୁଟ୍ ସମ୍ପର୍କରେ ସବିସ୍ତାର ଭାବେ ଅନୁଧ୍ୟାନ କରିଥିଲେ। ସେଥିସହ ନିକଟସ୍ଥ ଥାନା ଅଧିକାରୀ, ସହର ଡିଭିଜନର ଅଧିକାରୀ ଓ ଫିଲ୍ଡ୍ ଅଫିସରମାନଙ୍କୁ ସମ୍ଭାବ୍ୟ ସମସ୍ୟା, ଚ୍ୟାଲେଞ୍ଜ ଓ ଦୁର୍ବଳତାଗୁଡ଼ିକୁ ପୂର୍ବରୁ ଚିହ୍ନଟ କରି ସମୟମତେ ପ୍ରତିକାରମୂଳକ ବ୍ୟବସ୍ଥା ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।


ଏହି ଅବସରରେ ଏସ୍.ପି. ପୁରୀ ଶ୍ରୀ ପ୍ରତୀକ ସିଂହ କହି ଛନ୍ତି – “ପୁରୀ ହେଉଛି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ଏବଂ ସାରା ବିଶ୍ୱର ଆସ୍ଥାର କେନ୍ଦ୍ର। ରଥଯାତ୍ରା ଓ ପର୍ଯ୍ୟଟକ ଋତୁରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସକାରାତ୍ମକ ଅନୁଭବ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ସେଥିପାଇଁ ସାହି, ଗଳି ଓ ବାଇ ଲେନ୍‌ଗୁଡ଼ିକୁ ଗୁରୁତ୍ୱ ଦେଇ ମାଇକ୍ରୋ ଲେଭେଲ୍ ସମୀକ୍ଷା କରାଯାଉଛି।” ମହିଳା ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ, ମହିଳାମାନେ ଯେକୌଣସି ସମସ୍ୟାରେ ନିର୍ଭୟ ଭାବେ ପୋଲିସ ସହ ଯୋଗାଯୋଗ କରିପାରିବେ। ପର୍ଯ୍ୟଟକ ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଓ ସୁସଂଗଠିତ ରଥଯାତ୍ରା ପରିଚାଳନା ଦୃଷ୍ଟିରେ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ୍ ସମୀକ୍ଷା, ରୁଟ୍ ମ୍ୟାନେଜମେଣ୍ଟ, ପଦଚାରୀ ପେଟ୍ରୋଲିଂ, ନାକାବନ୍ଦୀ, ସିସିଟିଭି ନିରୀକ୍ଷଣ ଓ ଆଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ପୁରୀ ପୋଲିସ ପକ୍ଷରୁ ସହରବାସୀ, ବ୍ୟବସାୟୀ, ହୋଟେଲ ମାଲିକ, ସେବାୟତ, ସ୍ୱେଛାସେବକ ଓ ପର୍ଯ୍ୟଟକମାନଙ୍କୁ ପୋଲିସ ପ୍ରଶାସନ ସହ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱ କିମ୍ବା ଆପାତକାଳୀନ ସ୍ଥିତି ଦେଖିଲେ ସଙ୍ଗେ ସଙ୍ଗେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଏସ.ଏସ.ଏମ.ଏସ.ଭିର କମାଣ୍ଡାଣ୍ଟ ଶ୍ରୀ ତାପସ ଦାସ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ ନାୟକ, ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ପୁରୀକୁ ଏକ ସୁରକ୍ଷିତ, ସୁସଂଗଠିତ ଓ ଆତ୍ମୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Share the News .....

Leave a Reply

Your email address will not be published. Required fields are marked *