ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସକୁ ଆନନ୍ଦ,ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଜାତୀୟ ଦିବସକୁ ପୁରୀ ବାସୀ ନିଜ ଗୃହରେ ଜାତୀୟ ପତାକା ଉତ୍ତୋଳନ ସହ ଆଲୋକ ମାଳାରେ ଗୃହକୁ ସଜ୍ଜିତ କରି ପାଳନ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଥିଲେ। ପରେ ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୨୬ ଜାନୁଆରୀରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ। ଦିବସର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପଡିଆରେ ପ୍ୟାରେଡ଼ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ , ପୁରସ୍କାର ବିତରଣ,ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।ଏହା ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗଦାନ ଓ ସେଠାରେ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ରକ୍ତଦାନ ଶିବିରରେ ରକ୍ତଦାନ କରିବାକୁ ବିଭିନ୍ନ ରକ୍ତଦାତା ଅନୁଷ୍ଠାନ ଓ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ମାଧ୍ୟମରେ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଗଲା।ସେହିପରି ଅପରାହ୍ନରେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ। ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ସକାଳ ୬ ଟା ସୁଦ୍ଧା ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭ ଘଟିକା ସୁଦ୍ଧା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବ। ବିଭିନ୍ନ ବ୍ଲକ ଅଞ୍ଚଳ,ଏନ.ଏ.ସି ଅଞ୍ଚଳ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କ ରେ ପୂଜ୍ୟ ପୂଜା ର ସମ୍ମାନ ସ୍ବରୂପ ମଧ୍ୟ ବିଡ଼ିଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଶିକ୍ଷାନୁଷ୍ଠାନ ର ମୁଖ୍ୟ ମାନେ ମାଲ୍ୟାର୍ପଣ କରିବାକୁ ଅନୁରୋଧ କରାଯାଇଛି।
ଅଭ୍ୟାସ ପ୍ୟାରେଡ ଚଳିତ ମାସ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ। ସେହିପରି ୨୫ ତାରିଖ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ ଅନୁଷ୍ଠିତ ହେବ। ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା,ଚାରା ରୋପଣ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ,ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ,ଅନ୍ୟାନ୍ୟ ଅନୁଷ୍ଠାନ ନିଜ କାର୍ଯ୍ୟାଳୟ କୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ନିଜସ୍ୱ ବ୍ୟୟରେ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା। ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା. ଅକ୍ଷୟ କୁମାର ଶତପଥୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ୱିବେଦୀ, ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ସମାଜସେବୀ ଚକ୍ରଧର ମହାପାତ୍ର, ବଦ୍ରି ମିଶ୍ର, ବିରେନ୍ଦ୍ର ଭୂଷଣ ହୋତା, ମାୟାଧର ମହାରଣା, ଅନାମ ଚରଣ ସାହୁ, ଶ୍ୟାମ ପ୍ରକାଶ ସେନାପତି, ଧ୍ରୁବ ଚରଣ କର, ରବି ନାରାୟଣ ପଣ୍ଡା, ଜୟନ୍ତୀ ମହାପାତ୍ର, ମଧୁମିତା ମହାପାତ୍ର, ମଧୁମିତା,ବିପିନ ବିହାରୀ ଦଳାଇ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ।ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଠ ନାଗରିକ, ସମାଜସେବୀ , ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
