ଉଠ ଉଠହେ ମଣିମା ଡାକରେ କଂପିଲା ପୁରୀ

ପୁରୀ : ଭକ୍ତର ଭାବପୂର୍ଣ୍ଣ ଡାକ ଶୁଣହେ ମଣିମା । ଭକ୍ତ ପ୍ରାର୍ଥନା ଶୁଣି ଉଠହେ ମହାବାହୁ। ପୁରୀବାସୀଙ୍କୁ ଶ୍ରୀମନ୍ଦିରରେ ସୁରୁଖୁରୁରେ ପ୍ରବେଶର ମାର୍ଗଦର୍ଶକ ହୁଅ ହେ ମହାପ୍ରଭୁ। ଏପରି ଆକୁଳ ନିବେଦନ ସହ ଜୟ ଜଗନ୍ନାଥ ଧ୍ୱନି, ହରିବୋଲ- ହୁଳହୁଳିରେ ସୋମବାର ଦିନ କଂପିଛି ପୁରୀ । ଶହଶହ ମହିଳା, ବରିଷ୍ଠ ନାଗରିକ, ସେବାୟତ, ପ୍ରବଚକ, ସାହିତ୍ୟିକ, ବିଭିନ୍ନ ସାହିବାସିନ୍ଦା, ଗବେଷକ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଯୁବଗୋଷ୍ଠୀ ଏଥିରେ ସାମିଲ ହୋଇ ଘୋଷଣା କରିଛନ୍ତି ଯେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ ଏକ ଦାବି କିମ୍ବା ଆନ୍ଦୋଳନ ହୋଇନପାରେ। ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିରରେ ସୁରୁଖୁରୁରେ ପ୍ରବେଶ, ପୁରୀବାସୀଙ୍କ ଜନ୍ମଗତ ଅଧିକାର ଓ ପରଂପରା। ବିଧର୍ମୀଙ୍କ କବଳରୁ ଠାକୁରଙ୍କୁ ୧୭ ଥର ପୁରୀବାସୀ ରକ୍ଷା କରିଛନ୍ତି । ପ୍ରାକୃତିକ ଦୁର୍ବିପାକଠାରୁ କରୋନା ସବୁଥିରେ ପୁରୀବାସୀ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କେବଳ ଦେଇନାହାନ୍ତି, ଶହଶହ ବର୍ଷଧରି ଵହିରାଗତ ଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତଙ୍କୁ ନିଃସ୍ଵାର୍ଥପର ସହଯୋଗ ଦେଇ ଆସିଛନ୍ତି। ଅଥଚ ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସୁରୁଖୁରୁରେ ପ୍ରବେଶ, ମହାଲକ୍ଷ୍ମୀଙ୍କ ଦର୍ଶନ, ସତ୍ୟନାରାୟଣ ଦର୍ଶନ, ମହାପ୍ରସାଦ ଓ ଶୁଖିଲା ପ୍ରସାଦ ଆଣିବା ନେଇ ଜନପ୍ରିୟ ରାଜ୍ୟ ସରକାର, ସାଂସଦ ସମ୍ବିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ସୁନୀଲ ମହାନ୍ତି ଏହା ପ୍ରତି ସକରାତ୍ମକ ସଂକେତ ଦେବାପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଯାବତ୍ ଆଶାଜନକ ଓ ନିର୍ଦ୍ଦିଷ୍ଟ ଘୋଷଣା ନେଇ ଆଲୋଚନା ହୋଇ ପାରିନାହିଁ। ଏଥିରେ ଯୋଗଦାନ କରି ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି ଯେ ସରକାର ସଦାସର୍ବଦା ପୁରୀ ବାସୀଙ୍କ ସହିତ ଅଛନ୍ତି ଓ ଖୁବ୍ ଶୀଘ୍ର ଅଭିଯାନ ମଞ୍ଚ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ ଏବଂ ଠାକୁର ପୁରୀ ବାସୀଙ୍କୁ ସଫଳତା ଦେବେ। ତେବେ ଆଜି ର ଏହି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଅଂହିସାଧର୍ମୀ ଥିଲା। ପୁରୀ ବାସୀଙ୍କ ପାଇଁ ପ୍ରଶାସନ ହୃଦୟର ସହ ଆଲୋଚନା କରିବାକୁ ମଞ୍ଚ ନିବେଦନ ରଖିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ଘୋଷଣା କରିଛି।

Share the News .....

Leave a Reply

Your email address will not be published. Required fields are marked *