କାର୍ତ୍ତିକ ବ୍ରତ ହେଉଛି ଓଡ଼ିଶାର ଜୀବନ୍ତ ସଂସ୍କୃତି ଏବଂ ଅନନ୍ୟ ପରଂପରା ଅଟେ – ମୁଖ୍ୟମନ୍ତ୍ରୀ

ପୁରୀ : କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ପୁରୀରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳି ମା’ମାନଙ୍କ ଆଲୋଚନା କରିଥିଲେ। ସେ କହିଛନ୍ତି, କାର୍ତ୍ତିକ ବ୍ରତ ହେଉଛି ଓଡ଼ିଶାର ଜୀବନ୍ତ ସଂସ୍କୃତି ଏବଂ ଅନନ୍ୟ ପରଂପରା ଅଟେ। ହବିଷ୍ୟାଳୀ ମାଆ ମାନଙ୍କ ମଧ୍ୟରୁ ଅନେକ ନିଜ ପରିବାର ଛାଡ଼ି ଏକ ମାସ ଏଠାରେ ବିତାଇ ଥାନ୍ତି। ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାର ସହିତ ଆଶୀର୍ବାଦ ମାଗି ଦୀପ ଜାଳିଥାନ୍ତି। କାର୍ତ୍ତିକ ମାସରେ ଆପଣମାନେ ଜଳାଉଥିବା ଦୀପ ଆମ ରାଜ୍ୟର ନୈତିକ ଓ ଆଧ୍ୟାତ୍ମିକ ଭାବନାକୁ ଜାଗ୍ରତ କରୁଛି। ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା, ଏହା ଏକ ପବିତ୍ର ଅନୁଭବ, ଯାହା ଦିବ୍ୟ ଓ ସାଧାରଣଙ୍କୁ ସଂଯୋଗ କରିଥାଏ। ମହାପ୍ରଭୁ ଶ୍ରୀମନ୍ଦିର ଠାରୁ ମହାନଦୀର ଶାନ୍ତ ତରଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ ବାଲିକଣିକା ଶତାଦ୍ଦୀର ଏହି ପ୍ରାର୍ଥନା ବହନ କରେ।
ଏହି ପବିତ୍ର ସ୍ଥଳରେ ଭକ୍ତମାନଙ୍କୁ ସେବା କରିବା ସରକାରଙ୍କ କର୍ତ୍ତବ୍ୟ। ସେମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ସରକାରଙ୍କ ଗୁରୁତ୍ବ।
ଏହି ସମାରୋହରେ ସତ୍ୟବାଦୀ ର ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ ମାସମାନଙ୍କ ମଧ୍ୟରେ ମାର୍ଗଶୀରକୁ ଶ୍ରେଷ୍ଠ କୁହାଯାଏ। କିନ୍ତୁ କାର୍ତ୍ତିକ ମାସରେ ଅପୂର୍ବ ସଂଯୋଗ ଥିବାରୁ କାର୍ତ୍ତିକକୁ ଶ୍ରେଷ୍ଠ ମାସ କୁହାଯାଇଥାଏ। କାର୍ତ୍ତିକର ମହାତ୍ମ୍ୟ ମହାନ।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
