ଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ ରାଜନେତା,ପୁରୀ ସଦର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଏବଂ ବାଲିପୁଟ ପଞ୍ଚାୟତରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ଜନ ପ୍ରତିନିଧି, ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ କତାଶିଳ୍ପ ନିଗମର ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ପଞ୍ଚାୟତ ପରିଷଦର ସଭାପତି, ପଞ୍ଚାୟତିରାଜ ଉପରେ ଜାତୀୟ ସ୍ତରରେ ଏକଦା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବିରାଟ ବ୍ୟକ୍ତିତ୍ବ, ପ୍ରଚଣ୍ଡ ବାଗ୍ମୀ ପୁରୁଷ, ବିଶିଷ୍ଟ ସମାଲୋଚକ, ରାଜନୈତିକ ସମୀକ୍ଷକ, ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟିକାରୀ ,ଶବ୍ଦ ଓ ଭାବର ସମ୍ରାଟ, ମାୟାମଞ୍ଚ ଏବଂ କବିତା କଣିକାର ସମର୍ଥ କବି , ଅନନ୍ୟ, ଅମୂଲ୍ୟ ଓ ଅତୁଲ୍ୟ ବୌଦ୍ଧିକ ବ୍ୟକ୍ତିସତ୍ତା ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା( ଶଙ୍କର ପରିଡ଼ା)ଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ବମ୍ବେର ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହୋଇ କିଛିଦିନ ତଳେ ଓଡ଼ିଶା ଫେରିଥିବା ଶଙ୍କର ପରିଡା ଭୁବନେଶ୍ୱରସ୍ଥିତ ରାଜଧାନୀ ଡାକ୍ତରଖାନା ଓ ପରେ ଗତକାଲି ଏମ୍ସ ସ୍ଥାନାନ୍ତରିତ ହୋଇଥିଲେ।
ଶଙ୍କର ପରିଡାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରି କହିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
