ପୁରୀରେ ନିଶା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ

ପୁରୀ : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ଶନିବାର ପୂର୍ବାହ୍ନ 10.30 ମିନିଟ ସମୟରେ ବଳିଆପଣ୍ଡା ପୁରୀସ୍ଥିତ ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ରରେ ନିଶା ମୁକ୍ତ ଅଭିଯାନର ଶୁଭ ଉଦଘାଟନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତି ରେ କରାଯାଇଥିଲା । ସାରା ଭାରତରୁ 150 ଜଣ ସ୍ୱାସ୍ଥ୍ୟ ବିଶାରଦ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବ୍ରହ୍ମା କୁମାରୀ ମୁଖ୍ୟାଳୟ ମାଉଣ୍ଟ ଆବୁ ସ୍ୱାସ୍ଥ୍ୟ ବିଭାଗର ସେକ୍ରେଟାରୀ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ବନାରସି ଲାଲ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କହିଲେ ଯେ ବିଭିନ୍ନ NGO ସଂସ୍ଥା ଦ୍ଵାରା ନିଶାନିବାରଣ ସମ୍ବନ୍ଧୀୟ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ମଧ୍ୟ ସେମାନଙ୍କ ସଫଳତା ହାର ଶତକଡ଼ା 20/30 ପର୍ସେଣ୍ଟ ବା ତା ଠାରୁ କମ୍ । କିନ୍ତୁ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ରାଜଯୋଗ ର ଅଭ୍ୟାସ ଦ୍ଵାରା ନିଶା ନିବାରଣର ସଫଳତା ହାର ଶତକଡ଼ା 97 ଭାଗ । ତେଣୁ ନିଶା ନିବାରଣର ବହୁଳ ସଫଳତା ପାଇଁ ବ୍ରହ୍ମା କୁମାରୀ ସଂସ୍ଥା ଭାରତ ସରକାର ଓ ବିଭିନ୍ନ ପ୍ରାଦେଶିକ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇ ବିଭିନ୍ନ ସେବାକାର୍ଯ୍ୟ ଜାରି ରଖି ଅନେକ ସମୟରେ ପୁରସ୍କୃତ ହେଉଅଛି ।
ଏହି ଆଲୋଚନାଚକ୍ରରେ ମେଡିକାଲ ପ୍ରଭାଗର ଜଏଣ୍ଟ ସେକ୍ରେଟାରୀ ରାଜଯୋଗୀ ଡକ୍ଟର ସଚିନ ପରବ ବିଭିନ୍ନ ନିଶାସେବନର କାରଣ, ଦୁଃପରିଣାମ ଓ ନିରାକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍ୱାସ୍ଥ୍ୟବିଭାଗର ସ୍ଵତନ୍ତ୍ର ସଚିବ ଡକ୍ଟର ବି.କେ ମହାପାତ୍ର ସରକାରଙ୍କ ନିଶାନିବାରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ନିଶା ମୁକ୍ତି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଆଲୋଚନାଚକ୍ରରେ ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ଗୁରୁ ଓ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ସ୍ୱାଇଁ , କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ରୂପଭାନୁ ମିଶ୍ର , IMA ପୁରୀ ବ୍ରାଞ୍ଚର ସେକ୍ରେଟାରୀ ଡକ୍ଟର ବାନାମ୍ବର ସେନାପତି, CDMO ପୁରୀ ଡକ୍ଟର ଏ କେ ଶତପଥୀ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ନିଶା ମୁକ୍ତି ସମ୍ବନ୍ଧୀୟ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସାଧନାକେନ୍ଦ୍ର ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର ନିରୁପମା ଆଶୀର୍ବଚନ ପ୍ରଦାନ କରି ସମସ୍ତଙ୍କୁ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଶପଥ ପାଠ କରାଇଥିଲେ । ରାଜ ଯୋଗୀ ଭ୍ରାତା ଡକ୍ଟର ସତ୍ୟାନନ୍ଦ ସ୍ବାଗତ ଅଭିଭାଷଣ ଦେଇ ଅଭିଯାନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ପ୍ରାକ୍ତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ଏ.ଏନ ମହାନ୍ତି ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟାଳୟ ସଂଯୋଜିକା ରାଜଯୋଗିନୀ ବ୍ରହ୍ମା କୁମାରୀ ମନିଷା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ନିଶା ନିବାରଣର ଏକ ସୁସଜ୍ଜିତ ରଥକୁ ସମସ୍ତ ଅତିଥି ମାନଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶର ବି କେ ଅକ୍ଷୟ ଭାଇ ଦାନ୍ତରେ ଟାଣିଟାଣି ଶୁଭାରମ୍ଭ କରିଥିଲେ । ଏହି ନିଶାନିବାରଣ ରଥ ପୁରୀ ଟାଉନ ତଥା ପୁରୀଜିଲ୍ଲାର ବିଭିନ୍ନ ବ୍ଲକରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *