ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ

ପୁରୀ : ବୁଧବାର ଅପରାହ୍ନ ରେ ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତକବି ଜୟଦେବ ଆମ ଜାତିର ଚିର ନମସ୍ୟ ବୋଲି କହିଥିଲେ। ତାଙ୍କ ରଚିତ ମଧୁର କୋମଳ କାନ୍ତ ପଦାବଳୀ ଗୀତଗୋବିନ୍ଦର ପଟାନ୍ତର ନାହିଁ। ଯେଉଁ ଗୀତ ମହାପ୍ରଭୁଙ୍କର ପ୍ରିୟ ଓ ଯାହାକୁ ଶୁଣିଲେ ମହାପ୍ରଭୁ ନିଦ୍ରାଯାଆନ୍ତି ତା ସମ ଆଉ ସୃଷ୍ଟି ନାହିଁ ବୋଲି କହିବା ସହ ଜୟଦେବଙ୍କ ପାଇଁ ଆମେସବୁ ଧନ୍ୟ ବୋଲି କହିଥିଲେ। ଶ୍ରୀଜୟଦେବ ଫାଉଣ୍ଡେସନ ତଥା ଓଡ଼ିଶାର ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ କହିଥିଲେ ଯେ ସରକାର ୧୯୯୧ ମସିହା ଠାରୁ ଜୟଦେବ ଜୟନ୍ତୀ ପାଳନ କରିବାସହ ଜୟଦେବଙ୍କ ନାମରେ ଏକ ନିର୍ବାଚନ ମଣ୍ଡଳୀ ମଧ୍ୟ କରାଯାଇଛି। ଅନେକ ପୁସ୍ତକ ପ୍ରକାଶନ ମାଧ୍ୟମରେ ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିଛି ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ, ପ୍ରାକ୍ତନ ସଂସ୍କୃତି ସହ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର , ଶ୍ରୀ ଜୟଦେବ ଫାଉଣ୍ଡେସନ ପୁରୀ ବ୍ରାଞ୍ଚ୍ର ସଦସ୍ୟ ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଜୟଦେବଙ୍କ ଜୀବନୀ, ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି, ସମର୍ପଣ ଓ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ କୁମାର ପ୍ରଧାନ ସଞ୍ଚାଳନ କରିଥିଲେ। ଏହି ଅବସରରେ ଜୟଦେବଙ୍କ ଜୟନ୍ତୀଠାରୁ ଜୟଦେବ ପୀଠ ରୁ ଆରମ୍ଭ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ସଂସ୍କୃତି ଭବନରେ ପହଞ୍ଚି କଳା ପରିବେଷଣ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
