୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୁରୀ : ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ପୋଲିସ ପକ୍ଷରୁ ପୋଲିସ ଲାଇନ ପଡିଆରେ ଗରିମାମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପବିତ୍ର ଅବସରରେ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ଦିବସଟିକୁ ଉତ୍ସାହ ଓ ଗମ୍ଭୀରତାର ସହ ପାଳିତ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ମହୋଦୟ ସମସ୍ତ ପୋଲିସ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ ଏହି ଦିନର ଗୁରୁତ୍ୱ ଉଲ୍ଲେଖ କରି ପୋଲିସ ବାହିନୀର ତ୍ୟାଗ, ସେବା ଓ ନିଷ୍ଠାକୁ ସ୍ମରଣ କରିଥିଲେ। ଏହା ସହ ମାନ୍ୟବର ଓଡିଶାର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଶ୍ରୀ ସିଂ ମହୋଦୟ ପଠନ କରିଥିଲେ। ବାର୍ତାରେ ପୋଲିସ ବାହିନୀର କର୍ତ୍ତବ୍ୟନିଷ୍ଠା, ଶୃଙ୍ଖଳା ଓ ଲୋକସେବା ପ୍ରତି ସମର୍ପଣକୁ ସ୍ମୃତି କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୁରୀ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନର ପୋଲିସ ବାହିନୀ ଅଂଶଗ୍ରହଣ କରିଥିଲେ। ପ୍ୟାରେଡରେ ଶୃଙ୍ଖଳା, ସମନ୍ୱୟ ଓ ପ୍ରଶିକ୍ଷଣର ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ଅବସରରେ ପୁରୀ ପୋଲିସର ଅବସର ପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ। ସେମାନଙ୍କର ଦୀର୍ଘ ସେବା ଓ ଅବଦାନକୁ ସମ୍ମାନ ଜଣାଯାଇଥିଲା। ପୋଲିସ ବାହିନୀର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା

ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ପୋଲିସ କର୍ମଚାରୀମାନଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ସହ କାର୍ଯ୍ୟ କରିବାକୁ ପ୍ରେରିତ କରାଯାଇଛି। ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ, ପୁରୀ ପୋଲିସ ଆଗାମୀ ଦିନରେ ବିଭିନ୍ନ ଆଇନ ଓ ଶୃଙ୍ଖଳା ସମସ୍ୟାକୁ ଦକ୍ଷତାର ସହ ମୁକାବିଲା କରିବା ପାଇଁ ନିଜର କ୍ଷମତା ଓ ପ୍ରଶିକ୍ଷଣକୁ ଆହୁରି ଶକ୍ତିଶାଳୀ କରୁଛି। ସେ କହିଥିଲେ ଯେ ଆଧୁନିକ ପ୍ରଯୁକ୍ତି, ଜନସହଭାଗିତା ଓ ସୁଚାରୁ ପରିଚାଳନା ମାଧ୍ୟମରେ ପୁରୀକୁ ଏକ ଅପରାଧମୁକ୍ତ ସହରରେ ପରିଣତ କରିବାକୁ ପୁରୀ ପୋଲିସ ପ୍ରତିବଦ୍ଧ। ସେ ଆହୁରି କହିଥିଲେ ଯେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସହଯୋଗ ଓ ବିଶ୍ୱାସ ବୃଦ୍ଧି ପାଇଁ ପୁରୀ ପୋଲିସ ନିରନ୍ତର ପ୍ରୟାସ ଜାରି ରଖିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ବାହିନୀର ଏକତା, ଶୃଙ୍ଖଳା ଓ ସମର୍ପଣର ଉଜ୍ଜ୍ୱଳ ପ୍ରତିଛବି ପ୍ରକାଶ ପାଇଥିଲା।

Share the News .....

Leave a Reply

Your email address will not be published. Required fields are marked *