ସାହିଯାତ ଯାତ୍ରା ୨୦୨୬ ପାଇଁ କାଳିକାଦେବୀସାହିରେ ସମନ୍ୱୟ ସଭା ଅନୁଷ୍ଠିତ

ପୁରୀ : ଆସନ୍ତା ସାହିଯାତ ଯାତ୍ରା ୨୦୨୬କୁ ପୁରୀ ସହରରେ ସୁଚାରୁ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଉଦ୍ଦେଶ୍ୟରେ କାଳିକାଦେବୀ ସାହିରେ ଏକ ବିସ୍ତୃତ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି। ସଭାକୁ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ଥାନୀୟ ସାହି କମିଟି ସଦସ୍ୟ, ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ। ସଭାରେ ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଟ୍ରାଫିକ ଡିଏସପି ଶ୍ରୀ ରାଜକୁମାର ପରିଡା, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାଶ ସହ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଆପାତକାଳୀନ ସେବା ବ୍ୟବସ୍ଥା, ସାଧାରଣ ଲୋକଙ୍କ ସୁରକ୍ଷା, ଓ ସାମ୍ପ୍ରଦାୟିକ ସମନ୍ୱୟ ବଜାୟ ରଖିବା ସମ୍ବନ୍ଧୀୟ ବିଷୟରେ ଗଭୀର ଆଲୋଚନା ହୋଇଥିଲା। ଯାତ୍ରା ସମୟରେ ପଡ଼ୁଥିବା ପ୍ରମୁଖ ରୁଟ ଓ ବିକଳ୍ପ ରୁଟଗୁଡ଼ିକୁ ଚିହ୍ନଟ କରି ପୂର୍ବ ପ୍ରସ୍ତୁତି ନେବା, ସମ୍ବେଦନଶୀଳ ସ୍ଥାନ ଓ ସଂକୀର୍ଣ୍ଣ ରାସ୍ତାଗୁଡ଼ିକରେ ବିଶେଷ ପୋଲିସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ସିସିଟିଭି ମାଧ୍ୟମରେ କଡା ନଜରଦାରି, ନିୟମିତ ପାଟ୍ରୋଲିଂ ଓ କ୍ୱିକ୍ ରିସ୍ପୋନ୍ସ ଟିମ୍‌ମାନେ ସଜାଗ ରହିବେ ବୋଲି ସୂଚିତ କରାଯାଇଥିଲା। ଏସ୍‌ପି ପୁରୀ ସ୍ଥାନୀୟ ସାହି କମିଟି ସଦସ୍ୟମାନଙ୍କୁ ସକ୍ରିୟ ସହଯୋଗ ପାଇଁ ଅନୁରୋଧ କରି କହିଥିଲେ ଯେ, ପୋଲିସ-ଜନସାଧାରଣ ସମନ୍ୱୟ ଦ୍ୱାରା ମାତ୍ର ପାରମ୍ପରିକ ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସଫଳ କରାଯାଇପାରିବ। ସାହି ଭିତର ରାସ୍ତା ସଫା ସୁତୁରା ରଖିବା, ଅବୈଧ ପାର୍କିଂ ରୋକିବା, ବିଦ୍ୟୁତ ତାର ଓ ଅସ୍ଥାୟୀ ମଞ୍ଚ/ଟେଣ୍ଟ ଯାଞ୍ଚ କରିବା ପାଇଁ କମିଟିଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଥିଲା। ଟ୍ରାଫିକ ପକ୍ଷରୁ ଯାତ୍ରା ଦିନ ବିଶେଷ ଟ୍ରାଫିକ ବ୍ୟବସ୍ଥା ଲାଗୁ ହେବା ସମ୍ବନ୍ଧରେ ଅବଗତ କରାଯାଇଥିଲା। ପ୍ରମୁଖ ସ୍ଥାନଗୁଡ଼ିକରେ ଡାଇଭର୍ସନ ବ୍ୟବସ୍ଥା ସହ ଆବଶ୍ୟକତାନୁସାରେ ପୋଲିସ ଓ ଟ୍ରାଫିକ କର୍ମଚାରୀମାନେ ମୁତୟନ କରାଯିବେ। ସଭାରେ ସ୍ଥାନୀୟ ପ୍ରତିନିଧିମାନେ ତାଙ୍କର ମତାମତ ଓ ପ୍ରସ୍ତାବ ରଖିଥିଲେ। ପୋଲିସ ପକ୍ଷରୁ ସେଗୁଡ଼ିକୁ ଗୁରୁତ୍ୱ ସହ ଗ୍ରହଣ କରି ପର୍ଯ୍ୟାୟକ୍ରମେ ସମାଧାନ କରାଯିବ । ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ସାହିଯାତ ଯାତ୍ରା ସମୟରେ ଟ୍ରାଫିକ ନିୟମ ମାନିବା ଓ ପୋଲିସଙ୍କୁ ସହଯୋଗ କରି ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରାଯାଇଛି । ସମସ୍ତଙ୍କ ମିଳିତ ପ୍ରୟାସରେ ସାହିଯାତ ଯାତ୍ରା ୨୦୨୬ ନିଶ୍ଚୟ ଭାବେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ବୋଲି ପୁରୀ ପୋଲିସ ଆଶା ବ୍ୟକ୍ତ କରିଛି।

Share the News .....

Leave a Reply

Your email address will not be published. Required fields are marked *