ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ।

ପୁରୀ : ପୁରୀ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଆଜି ପୂର୍ବାହ୍ନ ରେ ସର୍କିଟ ହାଉସ ଠାରେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ଧାନ ସଂଗ୍ରହ ଯେପରି ଶୃଙ୍ଖଳିତ ଓ ଚାଷୀ ମାନଙ୍କ ପାଇଁ ସୁଗମ ହେବ ସେଥି ପ୍ରତି ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଧାନ ସଂଗ୍ରହ କ୍ଷେତ୍ରରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଥିଲେ। ଚଳିତ ବର୍ଷ ଜିଲ୍ଲାରେ ଆସନ୍ତା ଜାନୁଆରୀ ୧୫ ତାରିଖ ଠାରୁ ଧାନ କ୍ରୟ କରାଯିବା ନେଇ ବୈଠକରେ ସ୍ଥିରୀକୃତ ହୋଇଥିଲା।
ବୈଠକରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଚାଷୀ ମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସୁଚାରୁ ରୂପେ ମଣ୍ଡିରୁ ଧାନ ଉଠେ, ଚାଷୀ ମାନଙ୍କ ପାଇଁ ମଣ୍ଡିରେ ମଧ୍ୟ ସମସ୍ତ ସୁବିଧା ରୁହେ ଏ ସବୁ ପ୍ରତି ସଂପୃକ୍ତ ବିଭାଗମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ସମସ୍ତଙ୍କୁ ସ୍ଵାଗତକରି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ। ଚାଷୀ ମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠାଇବା ପାଇଁ ପଦକ୍ଷେପ ନିମନ୍ତେ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଥିବା ଅଧିକାରୀ ଓ ମିଲର ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ମଣ୍ଡିରେ ଜଣେ ଲେଖାଏ ନୋଡାଲ ଅଧିକାରୀ ଓ ୪-୫ ଟି ମଣ୍ଡି ପାଇଁ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ନିୟୋଜିତ ହେବେ। ପ୍ରତି ସପ୍ତାହରେ ସେମାନେ ପ୍ରଶାସନ କୁ ରିପୋର୍ଟ ପ୍ରଦାନ କରିବେ।


ଧାନର ମାନ ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ୨୦୦ ଲେଖାଏଁ ଚାଷୀ ଙ୍କୁ ନେଇ ଗୃପ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ଏଫ୍.ଏ.କ୍ୟୁ ମାନର ଧାନର କ୍ଵିଣ୍ଟାଲ ପିଛା ଦର ୨୩୬୯ ଟଙ୍କା ଓ ଗ୍ରେଡ ଏ ଧାନର ମୂଲ୍ୟ ୨୩୮୯ ଟଙ୍କା ଧାର୍ଯ୍ୟ ରହିଅଛି। ରାଜ୍ୟ ସରକାର ଘୋଷଣା କରିଥିବା ୭୩୧ ଟଙ୍କା ଇନପୁଟ ସହାୟତା ଚାଷୀ ପାଇବେ। ଧାନ ଦେବା ର ୨୪ ରୁ ୪୮ ଘଣ୍ଟା ମାଧ୍ୟମରେ ଚାଷୀ ଙ୍କୁ ଡିବିଟି ମାଧ୍ୟମରେ ପ୍ରାପ୍ୟ ପ୍ରଦାନ କରାଯିବ। ଜିଲ୍ଲାର ଖରିଫ ଧାନ ନିମନ୍ତେ ୫୯୯୯୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଜିଲ୍ଲାରେ ୧୯୬ ଗୋଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ହେବ। ଏଥିରେ ୧୯୨ ସମବାୟ ସଂସ୍ଥାଦ୍ୱାରା ସ୍ଥିରୀକୃତ ହୋଇଥିବା ବେଳେ ୪ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଧାନ ସଂଗ୍ରହ କରିବେ। ଚଳିତ ବର୍ଷ ଜିଲ୍ଲାରେ ୧୨୦୪୦୦.୦୦୦ ମେଟ୍ରିକ ଟନ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଅଛି।ଆର.ଏମ.ସି ପକ୍ଷରୁ ସମସ୍ତ ମଣ୍ଡି ଓ ଯନ୍ତ୍ରପାତି ଗୁଡିକର ଆବଶ୍ୟକୀୟ ମରାମତି, ସଂପୂର୍ଣ୍ଣ ସିସିଟିଭି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଲୋକ ପ୍ରତିନିଧିଙ୍କ ପ୍ରତିନିଧି, ଚାଷୀ ପ୍ରତିନିଧି, ମିଲର୍ସ ଓ ସେମାନଙ୍କ ପ୍ରତିନିଧି, ପ୍ୟାକ୍ସ କର୍ମଚାରୀ, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତା, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡିଆରସିଏସ ସୁନୀତା ପତି ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *