ଗୋପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି : କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ର ଗ୍ରହଣର ସୂଚନା

ଗୋପ : ପୁରୀ ଜିଲ୍ଲାର ଗୋପ ବ୍ଲକରେ ଏକ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘଦିନ ଧରି ଚାଲିଥିବା ଦାବି ଏବେ କେନ୍ଦ୍ର ସ୍ତରରେ ଆଲୋଚନାରେ ଆସିଛି। ଏହି ସମ୍ପର୍କରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ୱାଇଁ ଙ୍କ ଦ୍ୱାରା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପଠାଯାଇଥିବା ପତ୍ରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବା ନେଇ ଅଧିକାରିକ ସୂଚନା ମିଳିଛି। ପ୍ରଶାନ୍ତ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ ଯେ ପୁରୀ ଜିଲ୍ଲାରେ ବର୍ତ୍ତମାନ କେବଳ ପୁରୀ ସହରରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି, ଯାହା ଗୋପ, କୋଣାର୍କ, ନିମାପଡ଼ା, ଅସ୍ତରଙ୍ଗ, କାକଟପୁର ଭଳି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୪୦ କି.ମି. ଦୂର। ଏହି ଦୂରତା କାରଣରୁ ଛୋଟ ପିଲାମାନେ ଦୈନିକ ଯାତ୍ରାରେ ଗଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋପ ଅଞ୍ଚଳକୁ କେନ୍ଦ୍ର କରି ଆଗାମୀ ଦିନରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ, ପର୍ଯ୍ୟଟନ ବିକାଶ, କୋଷ୍ଟାଲ ହାଇୱେ, ଅସ୍ତରଙ୍ଗ ବନ୍ଦର, ରେଳ ପଥ ସଂଯୋଗ, କେନ୍ଦ୍ରୀୟ ପିଏସୟୁ, ହୋଟେଲ ଓ ମୋଟେଲ ଭଳି ବଡ଼ ବିକାଶମୂଳକ ପ୍ରକଳ୍ପ ଆସିବାକୁ ଥିବା ନେଇ ମଧ୍ୟ ପତ୍ରରେ ଉଲ୍ଲେଖ କରାଯାଇଛି। ଏହାର ଫଳରେ ବହୁ ସଂଖ୍ୟକ କେନ୍ଦ୍ରୀୟ କର୍ମଚାରୀ, ସୁରକ୍ଷା କର୍ମୀ ଓ କେନ୍ଦ୍ରୀୟ ପିଏସୟୁ ଅଧିକାରୀ ଏହି ଅଞ୍ଚଳରେ କାର୍ଯ୍ୟରତ ହେବେ, ଯାହାଙ୍କ ପିଲାମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଅତ୍ୟନ୍ତ ଆବଶ୍ୟକ।
ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ “ପତ୍ର ଗ୍ରହଣ କରାଯାଇଛି” ବୋଲି ଆସିଥିବା ଉତ୍ତରକୁ ସ୍ୱାଗତ କରି ପ୍ରଶାନ୍ତ ସ୍ୱାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋପ ବ୍ଲକକୁ କେନ୍ଦ୍ର କରି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସଠିକ୍ ସର୍ବେକ୍ଷଣ କରାଯାଉ ଏବଂ କିଛି ଅଯଥା ଚର୍ଚ୍ଚା ଓ ଷଡଯନ୍ତ୍ରକୁ ଦୂରେ ରଖି ଛାତ୍ରଛାତ୍ରୀଙ୍କ ହିତକୁ ପ୍ରାଥମିକତା ଦିଆଯାଉ। ଏହି ଦାବିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସକାରାତ୍ମକ ପ୍ରତିକ୍ରିୟା ଦେଖାଦେଇଛି ଏବଂ ଆଗାମୀ ଦିନରେ କେନ୍ଦ୍ର ସରକାର ଏହା ଉପରେ ସଠିକ୍ ନିଷ୍ପତ୍ତି ନେବେ ବୋଲି ଲୋକମାନେ ଆଶା ପ୍ରକାଶ କରିଛନ୍ତି।
