ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଓ ପ୍ରଶିକ୍ଷଣ

ପୁରୀ : ପୁରୀର କମଳା ଦେବୀ ମାତୃତ୍ୱ ଚିକିତ୍ସାଳୟରେ ଶୁକ୍ରବାରଦିନ ମହିଳା ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ଯତ୍ନ ଅନୁଷ୍ଠାନ ଆଦିର କର୍ମକର୍ତ୍ତାଙ୍କୁ ନେଇ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ, ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ସଚେତନତା ତଥା ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଷ୍ଟାଫ ନର୍ସ, ଏ ଏନ ଏମ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କୁ ନେଇ ମୋଟ ୭୦ ରୁ ଉର୍ଦ୍ଧ୍ୱ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ କହିଥିଲେ ଯେ, ପ୍ରତ୍ୟେକ ଶିଶୁର ପରିବାର ଆବଶ୍ୟକ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅକ୍ଷୟ କୁମାର ଶତପଥୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ଚିକିତ୍ସା କର୍ମୀ ମନୋରମା ଶତପଥୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ଅସୁରକ୍ଷିତ ଭାବେ ପରିତ୍ୟକ୍ତ ନ କରିବାକୁ ନିବେଦନ କରିବା ସହିତ ପ୍ରତ୍ୟେକ ଶିଶୁଙ୍କ ପରିବାର ନିଶ୍ଚିତ କରିବା ପୋଷ୍ୟ ଗ୍ରହଣ ଆଇନ ଦ୍ୱାରା ହିଁ ସମ୍ଭବ। ଏଣୁ ଏହି ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସରେ ସମସ୍ତେ ଏକାଠି ହୋଇ ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ଫୁଟାଇବା ଉଚିତ। ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ବିଶେଷଜ୍ଞ ଅକ୍ଷୟ କୁମାର ସ୍ୱାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସୁବିଧା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦୁଇ ପିତାମାତା ଦେବଦତ୍ତ ବଙ୍ଗାରି ଓ ଶୋଭା ଦାସ, ଯୁବରାଜ ଭୋଳ ଓ ସୁପ୍ରିୟା ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅଣ ଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସ୍ନିଗ୍ଧା ରାଣୀ ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
