ପୁରୀ ବେଳାଭୂମି ମାରାଥନ ଡିସେମ୍ବର ୧୩ ରେ

ପୁରୀ : ଆସନ୍ତା ଡିସେମ୍ବର ୧୩ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ପୁରୀ କୋଷ୍ଟାଲ ମାରାଥନ ବା ପୁରୀ ବେଳାଭୂମି ମାରାଥନ ୨୦୨୬। ଏଥିରେ ଜିଲ୍ଲା, ରାଜ୍ୟ, ଦେଶ ଓ ବିଦେଶ ର ଧାବକ ମାନେ ଅଂଶଗ୍ରହଣ କରିପାରିବେ। ହାଫ ମାରାଥନ ଓ ଫୁଲ ମାରାଥନ ଭାବେ ଏହା ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ ପାଇଁ ଆଗ୍ରହୀ ଧାବକ ମାନେ http://www.puricoastalmarathon.in ରେ ନାମ ରେଜିଷ୍ଟ୍ରେସନ ବା ପଞିକରଣ କରିପାରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମାରାଥନ କୁ ଓଏମସି ସହଯୋଗ କରିବ। ଏହାର ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଏକ ସଚେତନତା ମାରାଥନ ବା ପ୍ରମୋ ରନ ବିଶ୍ୱ ପର୍ଯ୍ୟଟନ ଦିବସ ଚଳିତ ମାସ ୨୭ ତାରିଖରେ ବ୍ଲୁ ଫ୍ଲାଗ ବିଚ ଠାରୁ ତାଜବିଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ପ୍ରମୋ ରନ ରେ ଅଂଶଗ୍ରହଣ କାରୀ ଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହାକୁ ଆକର୍ଷଣୀୟ ଭାବେ ଆୟୋଜନ ସହ ଯେପରି ହାଫ ଓ ଫୁଲ ମାରାଥନ ପାଇଁ ଅଧିକ ବ୍ୟକ୍ତି ବିଶେଷ ନାମ ପଞିକରଣ କରିବେ ତାହା ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରମୋ ରନରେ ଯାଉଥିବା ଅଞ୍ଚଳ ଯଥା ଦିଗବାରେଣୀ, ଚୈତନ୍ୟ ଛକ,ଲାଇଟ ହାଉସ,ସ୍ୱସ୍ତି ପ୍ରିମିୟମ ସମ୍ମୁଖ ବିଚ ମାନଙ୍କ ରେ ଲେମ୍ବୁ ପାଣି, ଗ୍ଲୁକୋଜ,ପାନୀୟ ଜଳ, ଚିକିତ୍ସା ସୁବିଧା,ଆମ୍ବୁଲାନ୍ସ ର ବ୍ୟବସ୍ଥା ରଖାଯିବ। ସେହିପରି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା, ସ୍ୱେଛାସେବୀ, ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜନ ଇତ୍ୟାଦି ଉପରେ ଶ୍ରୀ ଶର୍ମା ଗୁରୁତ୍ୱ ଦେଇଥିଲେ। ଏହି ପ୍ରମୋ ରନ ରେ ପୂର୍ବରୁ ପଞ୍ଜିକୃତ ୫ ଶହରୁ ଉର୍ଦ୍ଧ୍ୱ ଧାବକ ମାନେ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର ୨୭ ତାରିଖ ସକାଳ ୫.୧୫ ମିନିଟ ଠାରୁ ପୂର୍ବରୁ ପଞ୍ଜିକରଣ କରିଥିବା ଧାବକ ମାନଙ୍କୁ ପୁନଃ ପଞ୍ଜିକରଣ କରାଯିବା ପରେ ସକାଳ ୬.୪୫ ସମୟରେ ପ୍ରମୋ ରନ ଆରମ୍ଭ ହେବ ବୋଲି ସ୍ଥିର ହେଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପିଏମସି ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ସଚିନ ପଟେଲ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଟ୍ରାଫିକ ଡିଏସପି ବିଜୟ ରତ୍ନମ ଲୋଲା,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ସଞ୍ଜୁ ଦାଶ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଦେବସ୍ମିତା ମହାନ୍ତି, ଆରଟିଓ ଅମିତ ରଣା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ,ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ପରେ କମିଶନରଙ୍କ ସହ ଉପସ୍ଥିତ ସମସ୍ତ ଅଧିକାରୀ ମାନେ ବ୍ଲୁ ଫ୍ଲାଗ ବିଚ ,ତାଜ ବିଚ ର କ୍ଷେତ୍ର ପରିଦର୍ଶନ କରିଥିଲେ।
