ମହାପ୍ରଭୁଙ୍କ ଦର୍ଶନ ପାଇଁ ୧୪୩ ଦିନରେ ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା

ପୁରୀ : ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ଥାୟୀ, ସୁବ୍ୟବସ୍ଥିତ ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଏପ୍ରିଲ ୧ ଠାରୁ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଚାଲିଥିବା ଅହିଂସାମୂଳକ ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଶୁକ୍ରବାର ୧୪୩ତମ ଦିନରେ ପହଞ୍ଚିଛି। ପୁରୀବାସୀ ନିଜର ଆଧାର କାର୍ଡକୁ ପରିଚୟର ପ୍ରମାଣ ଭାବେ ଦେଖାଇ ଚାରିଦ୍ୱାର ଦେଇ ନିୟମିତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରି ଘଣ୍ଟି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବା ପାଇଁ ସ୍ପଷ୍ଟ ଓ ସ୍ଥାୟୀ ବ୍ୟବସ୍ଥା ଏହି ସତ୍ୟାଗ୍ରହର ମୁଖ୍ୟ ଦାବି। ଆସନ୍ତା ୨୨ ଅଗଷ୍ଟ ୨୦୨୬, ଦିବା ୧୧.୩୦ ଘଟିକା ସମୟରେ ଆରକ୍ଷୀ ଅଧୀକ୍ଷକଙ୍କ ସହ ଏହି ଦାବି ସମ୍ପର୍କରେ ଆଲୋଚନା ହେବାକୁ ଧାର୍ଯ୍ୟ ହୋଇଛି। ପୁରୀବାସୀଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ ଦିଗରେ ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମଞ୍ଚ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମର ଦାବି କୌଣସି ବିଶେଷ ସୁବିଧା ପାଇଁ ନୁହେଁ; ପୁରୀବାସୀଙ୍କ ପାଇଁ ଆଧାର କାର୍ଡକୁ ପରିଚୟ ପ୍ରମାଣ ଭାବେ ଗ୍ରହଣ କରି ଚାରି ଦ୍ୱାର ଦେଇ ନିୟମିତ ଓ ସମ୍ମାନଜନକ ଶ୍ରୀମନ୍ଦିର ପ୍ରବେଶ ଏବଂ ଦର୍ଶନର ସ୍ଥାୟୀ ବ୍ୟବସ୍ଥା କରାଯାଉ। ଆମେ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାକୁ ସମ୍ମାନ କରି ସତ୍ୟ ଓ ଅହିଂସାର ପଥରେ ଆମର ଦାବି ଜାରି ରଖିଛୁ।” ଆଜିର ପଦଯାତ୍ରାରେ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଅଭିମନ୍ୟୁ ରାୟଗୁରୁ, ରମେଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ, ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ରୁପା ବେହେରା, ଅଞ୍ଜୁବାଳା ମହାନ୍ତି, ନେହା ଦାଶ, ସୋନା ମିଶ୍ର, କଣ୍ଢେଇ ଗୌଡ଼, ମମତା ସ୍ବାଇଁ, ଶିଶିରକାନ୍ତ ଶତପଥୀ, କାହ୍ନୁ ଚରଣ ପ୍ରଧାନ, ସନ୍ତୋଷ ସେନାପତି, କିଶୋର ଚନ୍ଦ୍ର ଦାସଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହେବା ସହ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଆଧାର କାର୍ଡ ଦେଖାଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
