ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ “ଦଶାବତାର ମୂର୍ତ୍ତି ” ପୁନଃ ସଂସ୍ଥାପନ ପ୍ରସ୍ତାବ ସଂପର୍କରେ ମାର୍ଗଦର୍ଶନ ନିମନ୍ତେ ଶ୍ରୀମଦ୍ ଜଗଦଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତିମଣ୍ଡପ ସ୍ଥାୟୀ ସଭାପତି ପରମପୂଜ୍ୟ ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢୀ। ୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI) ଙ୍କ ଦ୍ଵାରା ସିଂହଦ୍ଵାର ଗୁମୁଟ ଓ ପାର୍ଶ୍ୱବର୍ତ୍ତୀ ପୁରାତନ ନିର୍ମାଣ କାର୍ଯ୍ୟର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଥିବା ସମୟରେ ସିଂହଦ୍ଵାର ଗୁମୁଟରେ ସଂସ୍ଥାପିତ ହୋଇଥିବା ଦଶାବତାର ମୂର୍ତ୍ତି ଅପସାରଣ କରାଯାଇ ସେ ସ୍ଥାନରେ ନୂତନ ପ୍ରସ୍ଥର ବିମ୍ ସ୍ଥାପନ କରାଯାଇଛି। ପୂର୍ବରୁ ଦଶାବତାର ମୂର୍ତ୍ତି ଚୂନ ପ୍ରଲେପ (Stucco)ରେ ତିଆରି ହୋଇଥିଲା। ଦଶାବତାର ମୂର୍ତ୍ତି ନବମ ଅବତାର ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିଙ୍କ ଅବସ୍ଥିତି ରହିଥିଲା ଯାହାକି ସେତେବେଳେ ମତଭେଦ ସୃଷ୍ଟି କରିଥିଲା। ତେବେ ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ ନିମନ୍ତେ ଗତ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯାଇ ଏସଂପର୍କରେ ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିବାରୁ ଏବଂ ପରମ୍ପରାନୁଯାୟୀ ଶ୍ରୀମନ୍ଦିର ଧାର୍ମିକ ପ୍ରସଂଗ ଉପରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ଅଧ୍ୟକ୍ଷ, ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗ ଦର୍ଶନ ପାଇଁ ସବିନୟ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢୀ ।

Share the News .....

Leave a Reply

Your email address will not be published. Required fields are marked *