ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ସବୁଜ ସଙ୍କେତ

ପୁରୀ: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ (ଷ୍ଟେଜ୍-୧) ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି । ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ । କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ । ଜୀବଜନ୍ତୁ ଓ ପରିବେଶର ଯତ୍ନ ନେବା ପାଇଁ ସରକାର ବ୍ୟବସ୍ଥା କରିବେ । ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବେ । ଏହାପରେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ ।
୧୧୬୪ ଏକର ଜମି ଉପରେ ନିର୍ମାଣ ହେବ ପ୍ରସ୍ତାବିତ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର । ସେଥିମଧ୍ୟରୁ ୯୪୩ ଏକର ସରକାରୀ ଜମି ଥିବା ବେଳେ ୨୨୧ ଏକର ଘରୋଇ ଜମି ରହିଛି । ଏହି ବିମାନବନ୍ଦର ନିର୍ମାଣ ହେବା ଦ୍ୱାରା ପୁରୀକୁ ଗମନାଗମନରେ ସୁବିଧା ହେବ ।
