ବରିଷ୍ଟ ଆଇନଜୀବୀ ଯୋଗେନ୍ଦ୍ର ଦାଶଙ୍କ ଦେହାନ୍ତରେ ପୁରୀ ଓକିଲସଂଘର ଶ୍ରଦ୍ଧାଞ୍ଜଳି

ପୁରୀ : ପୁରୀ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ଯୋଗେନ୍ଦ୍ର ଦାଶଙ୍କ ମୃତ୍ୟୁ ପୁରୀ ବାର ପାଇଁ ଏକ ଅପୂରଣୀୟ କ୍ଷତି । ପିଲା ଦିନୁ ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ଯୋଗେନ୍ଦ୍ର ଦାଶ ଅନେକ ଉଚ୍ଚ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଓକିଲାତି ବୃତ୍ତିକୁ ଆପଣାଇଥିଲେ ବୋଲି ଆଜି ପୁରୀ ବାର ଆସୋସିଏସନରେ ଆୟୋଜିତ ସ୍ମୃତି ସଭାରେ ତାଙ୍କ ବ୍ୟକ୍ତିତ୍ଵ ଓ ଓକିଲାତି ଜୀବନର ସ୍ମୃତି ଚାରଣ କରାଯାଇଛି । ପୁରୀ ବାର ଆସୋସିଏସନ ସଭାପତି ପ୍ରେମାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅନେକ ବରିଷ୍ଠ ଆଇନଜୀବୀ ଓ ଯୁବ ଆଇନଜୀବି ସ୍ୱର୍ଗତଃ ଯୋଗେନ୍ଦ୍ର ଦାଶଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତଃ ଯୋଗେନ୍ଦ୍ର ଦାଶ ପୁରୀ ଜିଲ୍ଲା ସ୍କୁଲରୁ ପ୍ରଥମ ଶ୍ରେଣୀରେ, ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଉତ୍କଳ ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବ୍ୟାଚ ଛାତ୍ର । ସେ ଷ୍ଟୁଡେଣ୍ଟ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଛାତ୍ର ରାଜନୀତି ସହ ସଂପୃକ୍ତ ଥିଲେ। ପୁରୀ ବଡ଼ଦାଣ୍ଡରେ ନାଳ,ନର୍ଦ୍ଦମା ଉପରେ ବେଆଇନ ଭାବେ ସ୍ଥାୟୀ ଦାଖଲ କରିଥିବା ଦଖଲଦାରଙ୍କୁ ଉଠାଇବାରେ ତାଙ୍କ ଓକିଲାତି ଏକ ଯୁଗାନ୍ତକାରୀ ପଦକ୍ଷେପ। ସେହିପରି ଚିଲିକାର ମତ୍ସ୍ୟଜୀବୀଙ୍କ ଅଧିକାର ପାଇଁ ଆଇନଗତ ଲଢେଇ ଓ ଅବଦାନ ଅତୁଳନୀୟ । ବିଶେଷ କରି ପ୍ରଶାସନିକ ଅଧିକାରୀଙ୍କ ବେଆଇନ କାର୍ଯ୍ୟ ବିରୁଦ୍ଧରେ ସେ ଆଇନଗତ ଭାବେ ସ୍ୱର ଉତ୍ତୋଳନ କରୁଥିଲେ। ଏଭଳି ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହରାଇ ବାର ଆସୋସିଏସନ୍ ଜଣେ ମାର୍ଗଦର୍ଶକଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଉଛି।
