ସଂପର୍କ ତରଫରୁ କେବଳ ମହିଳାମାନଙ୍କୁ ନେଇ ପିଙ୍କ ରାଲି ଓ ଶପଥ ପାଠ

ପୁରୀ : ଜାତୀୟ ମତଦାତା ସପ୍ତାହ ୨୦୨୬ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ସଂପର୍କ, ତରଫରୁ ମାଇ ଯୁବା ଭାରତ, ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାର, ରାଷ୍ଟ୍ରସେବା ଟ୍ରଷ୍ଟ ସହଯୋଗରେ ପୁରୀ ଜିଲ୍ଲା ବାଲିଗୁଆଳିସ୍ଥିତ ପ୍ରିୟଙ୍କାଦେବୀ ସ୍କୁଲ୍ ଅଫ୍ ନର୍ସିଂ ପରିସରରେ ଏକ ଜାତୀୟ ମତଦାତା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଅଛି। ସକାଳ ୯ଟାରୁ ଚାଲିଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ନୂତନ ଓ ପ୍ରଥମଥର ମତଦାନ କରିବାକୁ ଯାଉଥିବା ଯୁବ ମତଦାତାଙ୍କୁ ମତଦାନର ଗୁରୁତ୍ୱ, ଭୋଟର ନାମଲେଖା ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ଏବଂ ନୀତିସଂଗତ ଭୋଟଦାନ ବିଷୟରେ ସଚେତନ କରାଇବା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ପଦଯାତ୍ରା ମାଧ୍ୟମରେ ଯୁବପିଢ଼ିଙ୍କୁ ଲୋକତାନ୍ତ୍ରିକ ମୂଲ୍ୟବୋଧ, ଦାୟିତ୍ୱଶୀଳ ନାଗରିକତା ଏବଂ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବାର ସନ୍ଦେଶ ଦିଆଯାଇଥିଲା। ପଦଯାତ୍ରା ପୂର୍ବରୁ ସମସ୍ତ ଅଂଶଗ୍ରହଣକାରୀ ନୀତିସଂଗତ ଓ ସଚେତନ ଭୋଟଦାନ ପାଇଁ ଶପଥ ଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ କହିଥିଲେ ଯେ, ସଚେତନ ଓ ଦାୟିତ୍ୱଶୀଳ ମତଦାନ ଦ୍ୱାରା ଲୋକତନ୍ତ୍ର ସୁଦୃଢ଼ ହୁଏ ଓ ଦେଶ ଦୃଢ଼ ଭିତ୍ତି ଉପରେ ଅଗ୍ରସର ହୁଏ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠି କହିଥିଲେ ଯେ, ଯୁବବର୍ଗମାନଙ୍କୁ ଆରମ୍ଭରୁ ନାଗରିକ ଦାୟିତ୍ୱ ବିଷୟରେ ସଚେତନ କରାଗଲେ ଭବିଷ୍ୟତରେ ଏକ ସୁଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବେ। ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପଦ୍ମନାଭ ପଣ୍ଡା ମତଦାନକୁ ପ୍ରତ୍ୟେକ ନାଗରିକଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ। ପ୍ରିୟଙ୍କାଦେବୀ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼. ବାବୁଲା ବେହେରା କହିଥିଲେ ଯେ, ସମସ୍ତେ ମତଦାନ କରିବା ଆବଶ୍ୟକ। ଉପ ଜିଲ୍ଲାପାଳ ରାଜ କିଶୋର ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ଆମକୁ ମତଦାନର ଅଧିକାର ଦେଇଛି, ନୀତିସଂଗତ ଓ ସଚେତନ ମତଦାନ ଦ୍ୱାରା ସୁଶାସନ ସମ୍ଭବ। ନୂଆ ଭୋଟର ମାନଙ୍କର ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ସୁଶୀଲ ନାଗରିକ ମାନଙ୍କ ପାଇଁ ମାଇ ଭାରତ କରୁଥିବା କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ମାଇ ଭାରତର ଜିଲ୍ଲା କୋଷାଧକ୍ଷ ଅଶୋକ ବେହେରା ଉପସ୍ଥିତ ଥିଲେ।

ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ସଭା ପରିଚାଳନା କରି ସଂଗଠନର କାର୍ଯ୍ୟକଳାପ, ଦୃଷ୍ଟିକୋଣ ଓ ଯୁବ ସଶକ୍ତିକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ରାଷ୍ଟ୍ରସେବା ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜିତା ପାଢ଼ୀ ନିଶ୍ଚିତ ମତଦାନ ସଂପର୍କରେ ଶପଥ ପାଠ କରାଇଥିବା ବେଳେ ନର୍ସିଂ ସ୍କୁଲର ଅଧ୍ୟକ୍ଷା ପାର୍ବତୀ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ମତଦାତା ଦିବସ ପ୍ରତିବର୍ଷ 25 ଜାନୁଆରୀରେ ପାଳିତ ହୁଏ । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜନ ଭାଗିଦାରୀରେ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ମାଇ ଯୁବା ଭାରତ ତରଫରୁ ସାରା ଦେଶରେ ପଦଯାତ୍ରା ପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସଭା ପରେ ମତଦାତା ସପ୍ତାହ ଅବସରରେ ନୂଆ ମହିଳା ମତଦାତାମାନଙ୍କୁ ନେଇ “ପିଙ୍କ୍ ରାଲି” ଆୟୋଜନ କରାଯାଇ ମହିଳା ସଶକ୍ତିକରଣ ଓ ସଚେତନ ମତଦାନର ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ସଚେତନ, ସକ୍ରିୟ ଓ ଦାୟିତ୍ୱଶୀଳ ମତଦାତା ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା। ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ ମିଶ୍ର, ରଞ୍ଜନ ପାଢ଼ୀ, ରାକେଶ ବାରିକ, ରୋଜାଲିନ ମିଶ୍ର, ଅଶ୍ରୁଜିତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *