କୁରାଳ ପଞ୍ଚମୀ ଭଜନ ସମାରୋହ ସହ କୁମ୍ଭକାରଙ୍କ ପାଞ୍ଚଦିନିଆ ପର୍ବ ଉଦଯାପିତ

ପୁରୀ : କୁମ୍ଭକାରମାନଙ୍କ ପାଞ୍ଚ ଦିନିଆ କୁରାଳ ପଞ୍ଚମୀ ପର୍ବ ଉଦଯାପିତ ହୋଇଛି। ଉଦଯାପନୀ ସନ୍ଧ୍ୟାରେ ସାର୍ବଜନୀନ ପୂଜାମଣ୍ଡପରେ ପୂଜା ପାଉଥିବା ରୁଦ୍ରପାଳ, ରତ୍ନେଶ୍ୱରୀଙ୍କ ମୃଣ୍ମୟମୃତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ଅଠରନଳା ନଦୀରେ ବିସର୍ଜନ କରାଯାଇଛି। ପରିବାରର ମୁଖ୍ୟମାନେ ସଂକଳ୍ପ ଭାଙ୍ଗିଛନ୍ତି। କୁମ୍ଭକାର ନିଯୋଗ ପକ୍ଷରୁ ଜ୍ୟୋତିଷମହାଶୟଙ୍କ ଦ୍ୱାରା ମୃତ୍ତିକା ଅନୁକୂଳ ଯୋଗ ନିର୍ଘଣ୍ଟପରେ ସମସ୍ତେ ଏକକାଳୀନ ହାଣ୍ଡି ଗଢିବାର ପରମ୍ପରା ରହିଛି। ପର୍ବ ସମାପ୍ତ ପରେ ଆଜିଠାରୁ ସ୍ୱାଭାବିକ ଭାବେ ଶ୍ରୀମନ୍ଦିରକୁ ହାଣ୍ଡି କୁଡ଼ିଆ ଯୋଗାଣ ଚାଲୁ ରହିବ। କୁରାଳ ପର୍ବ ପାଳନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ କୁମ୍ଭାରପଡା ରେ ମନୋଜ୍ଞ କୁରାଳ ପଞ୍ଚମୀ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।କୁମ୍ଭାରପଡା ଯୁବ ପରିଷଦ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ସମାରୋହକୁ ଉଦଘାଟନ କରିଥିଲେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ। ଓଡିଶା କୁରାଳ ମହାସଂଘର ରାଜ୍ୟ ସଭାପତି ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲା ସଭାପତି ଡା ଦେବେନ୍ଦ୍ର ନାଥ ତରାଇ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଜିଲ୍ଲା ହସ୍ତଶିଳ୍ପ ବିଭାଗ ଉପ ନିର୍ଦେଶକ ଵିଷ୍ଣୁ ପଦ ମାରାଣ୍ଡି,  ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବାଦଲ କୁମାର ବେହେରା, ସମାଜ ସେବୀ ଜଗଦାନନ୍ଦ ମିଶ୍ର, ପୂର୍ବତନ କାଉନସିଲର ସୁଦର୍ଶନ ସାହୁ, ସଂଗଠକ ଲକ୍ଷ୍ମୀ ନାରାୟଣ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ। ପରିଷଦର ସମ୍ପାଦକ ନେତ୍ରାନନ୍ଦ ବିଶୋଇ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ସମାରୋହ ସମ୍ପର୍କ ରେ ଅବତାରଣା କରିଥିଲେ।ସମାରୋହରେ ଗୀତିକାର ଗୁରୁ ପ୍ରସାଦ ଶତପଥି, ସମାଜ ସେବୀ ସନ୍ଧ୍ୟା ରାଣୀ ରଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।

  ଏହି ଅବସରରେ ପୁରୀର ମହ୍ଲାର ଭଜନ ଗ୍ରୁପ ପକ୍ଷରୁ ଗୁରୁ ସନ୍ଧ୍ୟାରାଣୀ ମିଶ୍ରଙ୍କ ନେତୃତ୍ୱରେ କଳାକାର ମାନେ ଭକ୍ତି ସଂଗୀତ ପରିବେଷଣ କରିଥିବା ବେଳେ ଜଗତସିଂହପୁର ସାଇକୃପା କଳାବିକାଶ କେନ୍ଦ୍ର ତରଫରୁ ଗୁରୁ ଶିବ ପ୍ରସାଦ ରାଉତ ଙ୍କ ନେତୃତ୍ୱ ରେ କଳାକାରମାନେ ଭଜନ ନୃତ୍ୟ ପରିବେଷଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁସଂଖ୍ୟକ ଦର୍ଶକ ଏହି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ସାମ୍ବାଦିକ ଜୁପିଟର ଦାସ, ପରିଷଦର ସହସମ୍ପାଦକ କୈଳାସ ବିଶୋଇ, ରସାନନ୍ଦ ବିଶୋଇ, କୃଷ୍ଣଚନ୍ଦ୍ର ବିଶୋଇ ପ୍ରକାଶ ବିଶୋଇ, ଧୀରେନ୍ଦ୍ର ବିଶୋଇ, ବୃନ୍ଦାବନ ବିଶୋଇ, ଲିଙ୍ଗରାଜ ମୁଦୁଲି, ଜଳନ୍ଧର ବିଶୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.

Share the News .....

Leave a Reply

Your email address will not be published. Required fields are marked *