ପ୍ରିୟଙ୍କାଦେବୀ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ ର ‘ପୁଣ୍ୟତ୍ସୋବ

ପୁରୀ :  ଯୁଦ୍ଧକାଳରେ ଫ୍ଲୋରେନ୍‌ସ୍‌ ନାଇଟ୍‌ଙ୍ଗେଲ୍‌ ହାତରେ ଲଣ୍ଠନ ଧରି ବୁଲି ବୁଲି ସୈନିକଙ୍କର ସେବା କରିଥିଲେ। ସେ ଏଥିପାଇଁ କେବଳ ଚିର ସ୍ମରଣୀୟ ନୁହନ୍ତି, ବରଂ ପ୍ରତ୍ୟେକ ସେବିକାଙ୍କର ଆଦର୍ଶ। ସେବିକାଙ୍କ ସ୍ପର୍ଶରେ ଯଦି ଆତ୍ମୀୟତା ରହିବ ତେବେ ଜୀବନ ଜିତିବ ବୋଲି କହିଛନ୍ତି ପୁରୀ ସାଂସଦ ଡା. ସମ୍ବିତ ପାତ୍ର। ଫ୍ଲୋରେନ୍‌ସ୍‌ ନାଇଟ୍‌ଙ୍ଗେଲ୍‌ଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ଟାଉନ୍‌ହଲ୍‌ଠାରେ ପ୍ରିୟଙ୍କାଦେବୀ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ୍ ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ପୁଣ୍ୟତ୍ସୋବ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଥିଲେ,  ନର୍ସିଂ ଏଭଳି ଏକ ସେବା ଯେଉଁଥିରେ ପୁଣ୍ୟ ଅର୍ଜନ କରିବାକୁ ସୁଯୋଗ ମିଳେ। ବ୍ୟାଙ୍କ୍ ଆକାଉଣ୍ଟରେ ଜମା ଅର୍ଥ ମୃତ୍ୟୁ ପରେ ନୋମିନି ନେଇଯିବ, ହେଲେ ସମର୍ପଣ ଭାବରେ ସେବିକାଙ୍କ ସେବାରୁ ଅର୍ଜିତ ପୁଣ୍ୟଫଳ ପରିଜନଙ୍କୁ ମିଳିବ। ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ ମହାନ୍ତି ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବାକୁ ନିଶ୍ଚତ କରୁଥିବା ସେବିକାମାନଙ୍କର ସ୍ଥାନ ସବୁବେଳେ ସମାଜରେ ଉଚ୍ଚରେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଦିନେ ଦୁଇଟି ଆଜ୍‌ବେଷ୍ଟସ୍ ଘରେ ଆରମ୍ଭ ହୋଇଥିବା ପ୍ରିୟଙ୍କାଦେବୀ ସ୍କୁଲ୍‌ ଅଫ୍‌ ନର୍ସିଂ ଆଜି ଏକ ମହାଦ୍ରୁମରେ ପରିଣତ ହୋଇନାହିଁ ବରଂ ସାରା ରାଜ୍ୟରେ ଯେତିକି ସେବିକା ସୃଷ୍ଟି କରିଛି ସେଥିପାଇଁ ସ୍ବାସ୍ଥ୍ୟସେବା ଗର୍ବିତ ବୋଲି କହିଛନ୍ତି। ଅନ୍ୟତମ ଅତିଥି ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ ନର୍ସିଂକୁ ବୃତ୍ତି ନୁହେଁ ସେବା ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକ ବାବୁଲା ବେହେରା ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ। ଅଧ୍ୟକ୍ଷା କମଳା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ସହନିର୍ଦ୍ଦେଶିକା ମଧୁସ୍ମିତା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ସସ୍ମିତା ସାହୁ, ସୋନାଲି ପ୍ରଧାନ, ରୂପାଲି ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ କାଳିପ୍ରସନ୍ନ ମିଶ୍ର ଧନ୍ୟବାଦ ଦେଇଥିଲେ। ମୁଖ୍ୟ ଅତିଥି କବାଡ଼ି, କ୍ରିକେଟ୍, ଶ୍ରେଷ୍ଠ ସ୍ବେଚ୍ଛାସେବୀ, ଶ୍ରେଷ୍ଠ ଛାତ୍ର, ୧୦୦ ଓ ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ସଟ୍‌ପୁଟ୍‌ ଥ୍ରୋ, ଡିସ୍‌କସ୍‌ ଥ୍ରୋରେ ଉଭୟ ମହିଳା ଓ ପୁରୁଷ ବିଭାଗର କୃତି ପ୍ରତିଯୋଗୀ ସମ୍ବର୍ଦ୍ଧିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଭିଜ୍ୟୋତି ପ୍ରିୟଦର୍ଶିନୀ ଓ ରାକେଶ ପାଣିଗ୍ରାହୀ। ଆସନ୍ତାକାଲି ପୂର୍ବାହ୍ନରେ ଏହି ପୁଣ୍ୟତ୍ସୋବର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରହିଛି।

Share the News .....

Leave a Reply

Your email address will not be published. Required fields are marked *