ଶ୍ରୀ ଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ ପକ୍ଷରୁ ଏମାର ମଠ ପାର୍ଶ୍ଵ ବାହାର ପରିକ୍ରମା ମାର୍ଗ ସଫେଇ କରାଯାଇଛି

ପୁରୀ : ଶ୍ରୀରାମ ଜନ୍ମ ଲୀଳା ତଥା ପ୍ରସିଦ୍ଧ ସାହି ଯାତ ଆରମ୍ଭ ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ପବିତ୍ରତା ରକ୍ଷା ପାଇଁ ଶ୍ରୀ ଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ ପକ୍ଷରୁ ଏମାର ମଠ ପାର୍ଶ୍ଵ ବାହାର ପରିକ୍ରମା ମାର୍ଗ ସଫେଇ କରାଯାଇଛି। ଦୁଇ ମାସ ପୂର୍ବେ ସ୍ବେଚ୍ଛାସେବୀ ମାନେ ଦୁର୍ଗନ୍ଧ ଛାଡୁଥିବା ଉକ୍ତ ଅଞ୍ଚଳ ସଫା କରି କନା ବାଡ ଘେରାଇଥିଲେ। ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରା ନଜିବାରେ ଦିଅଁ ବିଜେ ପୂର୍ବରୁ ପୁନଃ ଏହି ପୂତି ଗନ୍ଧମୟ ଅଞ୍ଚଳରେ ବ୍ଲିଚିଁ ପକାଇ ସଫା କରାଯିବା ସହ କନା ବାଡ ଦେବା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ କିଛି ସ୍ଥାନୀୟ ଯୁବକ ସ୍ଵତଃ ଯୋଡ଼ି ହୋଇ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିବା ସହ ସୋସିଆଲ ମିଡିଆରେ ସଚେତନତା ସୃଷ୍ଟି ପାଇଁ ଚେଷ୍ଟା କରିଥିଲେ। ସେଠାରେ ପୋଷ୍ଟର ଲଗାଇ “କି ଭକ୍ତ ତୁମେ ” ବୋଲି ପରିଶ୍ରା କରିବାକୁ ଆସୁଥିବା ଲୋକଙ୍କୁ ପ୍ରଶ୍ନ କରିଥିଲେ। ପରିକ୍ରମା ମାର୍ଗରେ ନିୟୋଜିତ ସଫେଇ କର୍ମଚାରୀ ମଧ୍ୟ ଏଥିରେ ସହଯୋଗ କରିଥିଲେ। ପର୍ଯ୍ୟାପ୍ତ ଶୌଚାଳୟ ନଥିବାରେ ଶ୍ରୀମନ୍ଦିର ସମ୍ମୁଖରେ ପ୍ରତିଦିନ ହଜାର ହଜାର ଲୋକ ପରିଶ୍ରା ଓ ମଳ ତ୍ୟାଗ କରୁଛନ୍ତି। ପତିତପାବନଙ୍କୁ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ଅତିଷ୍ଠ ହେଉଛନ୍ତି। ଉକ୍ତ ରାସ୍ତା ଦେଇ ଶ୍ରୀମନ୍ଦିର ପାର୍ଶ୍ଵ ପାର କଲାବେଳେ ପରିଶ୍ରା ଗନ୍ଧରେ ନାକ ଫାଟିଯାଉଛି। ମାସ ମାସ ହେଲା ଏଭଳି ସ୍ଥିତି ଜାରି ରହିଥିଲେ ସୁଦ୍ଧା ପ୍ରଶାସନ କୌଣସି ପ୍ରତିକାର ନକରିବାରୁ ସାଧାରଣ ଲୋକଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି। ସୁପ୍ରିମ କୋର୍ଟ ନିୟମ ଅନୁସାରେ କାର୍ଯ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଶ୍ରୀମନ୍ଦିର ନିକଟରେ ଅଧିକ ଶୌଚାଳୟ ଦାବି ସହ ସେଠାରେ ଜଗୁଆଳି ଜଗାଇ ଶ୍ରୀମନ୍ଦିର ପରିବେଶର ସ୍ଵଛତା ରକ୍ଷା ପାଇଁ ଦାବି କରିଛନ୍ତି। ଶ୍ରୀଜଗନ୍ନାଥ ଙ୍କ ଆସ୍ଥାନ ର ପବିତ୍ରତା ରକ୍ଷା ପାଇଁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମଧ୍ୟ ସଚେତନ ହେବା ଉଚିତ ବୋଲି ଶ୍ରମଦାନକାରୀ ମାନେ ଆବେଦନ କରିଛନ୍ତି।
