ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ତୀର୍ଥଯାତ୍ରୀ ପୁରୀରେ ପହଞ୍ଚିଲେ

ପୁରୀ : ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁରଠାରେ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ନବରଙ୍ଗପୁର ଜିଲ୍ଲା ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଜିଲ୍ଲାର ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚୁଛନ୍ତି। ଶୁକ୍ରବାର ସଂଧ୍ୟାରେ ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର ୫୦୦ ତୀର୍ଥଯାତ୍ରୀ ମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହଣୀସ୍ଥାନ ବୃନ୍ଦାବତୀ ନିବାସରେ ପହଞ୍ଚିବାପରେ ଜିଲ୍ଲା ପ୍ରଶାସନପକ୍ଷରୁ ସେମାନଙ୍କୁ ପାରମ୍ପରିକ ବାଦ୍ୟ, ହୁଳହୁଳି, ଚନ୍ଦନଟିପା ଦେଇ ସ୍ୱାଗତ କରାଯାଇଥିଲା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଶ୍ରୀମନ୍ଦିର ଡେପୁଟି ପ୍ରଶାସକ ରଞ୍ଜନ କୁମାର ବେହେରା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓଏସଆରଟିସିର ଜିଲ୍ଲା ପରିଚାଳକ ରଶ୍ମି ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରେଡକ୍ରସ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ପରେ ସେମାନଙ୍କୁ ମହାପ୍ରସାଦ ସେବନ କରାଯାଇଥିଲା। ଶନିବାର ପ୍ରାତଃ ସମୟରେ ଏହି ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେହିପରି ନବରଙ୍ଗପୁର, ସମ୍ବଲପୁର ଓ ମୟୂରଭଞ୍ଜର ଶ୍ରଦ୍ଧାଳୁମାନେ ରାତ୍ରିରେ ପହଞ୍ଚିବା ସହ ଶନିବାର ମନ୍ଦିର ଦର୍ଶନ କରିଛନ୍ତି।
