ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ନୋଡାଲ ସଚିବ

ପୁରୀ : ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ଇଲେକ୍ଟ୍ରୋନିକ୍ସ,ସୂଚନା ବୈଷୟିକ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ସଚିବ ବିଶାଲ କୁମାର ଦେବ ସୋମବାର ଅପରାହ୍ନରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସରକାର ଲୋକମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ସେମାନଙ୍କ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥାନ୍ତି। ଯୋଗ୍ୟତା ଅନୁସାରେ ହିତାଧିକାରୀ ମାନଙ୍କୁ ସାମିଲ କରି ତାହାର ସୁଫଳ ଯୋଗାଇବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ନୋଡାଲ ସଚିବ ଶ୍ରୀ ଦେବ। ଯେ କୌଣସି ଯୋଜନା ଓ ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା, ଯାହା ଅର୍ଥ ଆସୁଛି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନା ରେ ସାମିଲ କରି ନିର୍ଦ୍ଦିଷ୍ଟ ସମୟ ସୀମା ରେ ଶେଷ କରିବା , ସ୍ୱଛତା ଅବଲମ୍ବନ କରି ସଫଳତା ହାସଲ କରିବାସହ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମସ୍ତଙ୍କୁ ସ୍ୱାଗତ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ପାନୀୟ ଜଳ ଓ ପାଇପ ଜଳ ଯୋଗାଣ ଓ ପରିମଳ, ସେତୁ ବନ୍ଧନ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ପିଏମ ସ୍କୁଲ, ଶିଳ୍ପ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଶିଶୁ ବିକାଶ ଯୋଜନା, ଜନଜାତି ଆବାସିକ ଯୋଜନା, ସ୍ୱତନ୍ତ୍ର ଯୁବ ଉଦୌଗୀ ଯୋଜନା, ଅମୃତ ପ୍ରୋଜେକ୍ଟ ୨.୦, ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, କୃଷି, ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନା, ଗ୍ରାମ୍ୟ ଶିଳ୍ପ ପାର୍କ,ମତ୍ସ୍ୟ, ପଶୁ ସମ୍ପଦ, ବନ୍ଦର ଯୋଜନା ଓ ଅଭିଯୋଗର ଶୁଣାଣି ଓ ସମାଧାନ ସମ୍ପର୍କରେ ସମୀକ୍ଷା କରିବା ସହ ସେଥିରେ ଅଗ୍ରଗତି, କୌଣସି ସମସ୍ୟା ଓ କ୍ଷେତ୍ର ସ୍ଥଳର ଅନୁଭବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୀକ୍ଷାରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥି ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ନୋଡାଲ ସଚିବ ଶ୍ରୀ ଦେବ ପିପିଲି, ସତ୍ୟବାଦୀ,ପୁରୀ ସଦର ବ୍ଲକ ଓ ପୁରୀ ମୁନିସିପାଲଟିର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବାସହ ହିତାଧିକାରୀ ମାନଙ୍କସହ ଆଲୋଚନା କରିଥିଲେ। ହିତାଧିକାରୀଙ୍କ ସହ ଆଲୋଚନା ଆଧାରରେ ବିଭାଗୀୟ ଅଧିକାରୀ ମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ ଓ ସହାୟତା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।
