ବିଜେଡି ସାଂଗଠନିକ ବୈଠକରେ ହିଂସାତ୍ମକ ରୂପ: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍

ନିମାପଡ଼ା : ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ୍ ବେଗୁନିଆ ଅଞ୍ଚଳର ଜାଗୁଳେଇ ପୀଠରେ ଆଜି ବିଜେଡିର ସାଙ୍ଗଠନିକ ବୈଠକ ହିଂସାତ୍ମକ ରୂପ ନେଇଛି। ଗୋପ ଓ ନିମାପଡ଼ା ବ୍ଲକର କର୍ମୀଙ୍କ ଉପସ୍ଥିତିରେ ଚାଲୁଥିବା ଏହି ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା, ଯାହା ପରେ ମାରପିଟ୍ ଓ ଧାକ୍କାମୁଖିରେ ପରିଣତ ହୋଇଥିଲା।ବୈଠକରେ ଅସ୍ତରଙ୍ଗ ମୂଳ ନିବାସୀ ଓ ବଣିକ ଶିକ୍ଷାନୁଷ୍ଠାନର ମାଲିକ ବିଜେଡି ନେତା ସୁବ୍ରତ ଛାଟୋଇ ଉପସ୍ଥିତ ଥିଲେ। କନ୍ଦଳର ମୂଳ କାରଣ ହେଉଛି ବ୍ୟାନରରେ ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କ ଫଟୋ ନଥିବା କଥା। ଦିଲ୍ଲୀପ ନାୟକ ବର୍ତ୍ତମାନ ଜେଲରେ ଅଛନ୍ତି। ୨୦୨୫ ସେପ୍ଟେମ୍ବରରେ ୧୨.୪୨ କୋଟି ଟଙ୍କାର ଠକେଇ ମାମଲାରେ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଥିଲା। ତାଙ୍କ ଅନୁପସ୍ଥିତିରେ ସୁବ୍ରତ ଛାଟୋଇ କର୍ମୀଙ୍କୁ ଡାକି ମିଟିଙ୍ଗ୍ କରୁଥିବାରୁ ଦିଲ୍ଲୀପ ଗୋଷ୍ଠୀର କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ଘଟଣାରେ କୌଣସି ଗୁରୁତର ଆଘାତର ଖବର ନାହିଁ। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଆସିଛି ବୋଲି ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ନିମାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଥିଲେ ଦିଲ୍ଲୀପ ନାୟକ। ୩ଥରର ବିଜେଡ଼ି ବିଧାୟକ ଥିବା ସମୀର ଦାଶଙ୍କ ଟିକଟ କାଟି ତାଙ୍କୁ ପ୍ରାର୍ଥୀ କରାଯାଇଥିଲା କିନ୍ତୁ ସେ ପରାଜିତ ହୋଇଥିଲେ। ଏହା ପରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି ଏବଂ ନିମାପଡ଼ାରେ ଗୋଷ୍ଠୀଗତ କନ୍ଦଳ ବଢ଼ିବାର ଖବର ଆସୁଛି।ଏହି ଘଟଣାକୁ ନେଇ ବିଜେପିର ପୂର୍ବତନ କୃଷକ ମୋର୍ଚ୍ଚା ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) କହିଛନ୍ତି, “ବିଜେଡି ବର୍ତ୍ତମାନ ତିନି ଫାଳ ହୋଇଛି। ଏକ ଛଦ୍ମ ଫାଳ ଏହି ମାରପିଟ୍ ର ସୁତ୍ରଧର। ବିଜେପି ସହ ଲଢ଼ିବାକୁ ବିଜେଡି କୁ କିଏ ନେତୃତ୍ୱ ନେବ ପ୍ରଥମେ ସ୍ଥିର କରୁ। ବିଜେପି ତାର ସାଂଗଠନିକ ସ୍ଥିତି ସୁଦୃଢ଼ କରିବାରେ ବ୍ୟସ୍ତ ଅଛି। ଗାଁ ଗାଁ ବସି ଲୋକଙ୍କ କୌଳିକ ସମସ୍ୟା ବୁଝିବାରେ ବ୍ୟସ୍ତ ରହିବା ସହ ମୋଦୀ ଏବଂ ମୋହନ ମାଝୀଙ୍କ ଜନ କଲ୍ୟାଣକାରୀ ଯୋଜନା କିପରି ତଳ ସ୍ତରରେ ପହଞ୍ଚିବ ସେଥିପାଇଁ ବ୍ୟସ୍ତ ଅଛି। ବିରୋଧୀ ତାଙ୍କ କାମ କରନ୍ତୁ।”ଏହି ଘଟଣା ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ଆହୁରି ସାମ୍ନାକୁ ଆଣିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପରିସ୍ଥିତି କେମିତି ଆଗକୁ ବଢ଼େ ତାହା ଉପରେ ସମସ୍ତଙ୍କ ନଜର ରହିଛି।
