କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ୟାକେଜ୍-୨: ଫରେଷ୍ଟ କ୍ଲିୟରାନ୍ସ ପାଇଁ ଆବେଦନ କରିନି

ପୁରୀ : ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତାବିତ ବହୁପ୍ରତୀକ୍ଷିତ ବଡ଼ପୋଖରିଆ–ମସାକଣି କୋଷ୍ଟାଲ ହାଇୱେ (ଏନ୍ଏଚ୍-୩୧୬ଏ) ପ୍ରକଳ୍ପର ପ୍ୟାକେଜ୍-୨ କାର୍ଯ୍ୟ ଅମଲାତାନ୍ତ୍ରିକ ଅବହେଳା ଓ ସମନ୍ୱୟ ଅଭାବ ଯୋଗୁଁ ଆଗକୁ ବଢ଼ିପାରୁ ନଥିବା ଅଭିଯୋଗ ଉଠିଛି। କୋଣାର୍କରୁ ମସାକଣି ପର୍ଯ୍ୟନ୍ତ ପ୍ରାୟ ୮୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ୟାକେଜ୍ ପାଇଁ ଆବଶ୍ୟକ ଅରଣ୍ୟ ମଞ୍ଜୁରୀ (ଫରେଷ୍ଟ କ୍ଲିୟରାନ୍ସ) ପ୍ରକ୍ରିୟାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଠିକ୍ ତାଳମେଳର ଅଭାବ ଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, କୋଷ୍ଟାଲ ହାଇୱେର ଏହି ଦ୍ୱିତୀୟ ପ୍ୟାକେଜ୍ (ଚେନେଜ୍ ୭୯.୪ କିମିରୁ ୧୬୦.୧୮୦ କିମି ପର୍ଯ୍ୟନ୍ତ) ନିର୍ମାଣ ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ଏପର୍ଯ୍ୟନ୍ତ କେନ୍ଦ୍ର ପରିବେଶ, ଅରଣ୍ୟ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ନିକଟରେ କୌଣସି ଆନୁଷ୍ଠାନିକ ଆବେଦନ ଦାଖଲ କରାଯାଇନାହିଁ। ଏହାସହ ଜାତୀୟ ପରିବେଶ ପୋର୍ଟାଲରେ ଅପଲୋଡ୍ ହେବାକୁ ଥିବା ଆବଶ୍ୟକୀୟ ଫରେଷ୍ଟ ଓ ନନ୍-ଫରେଷ୍ଟ ଲ୍ୟାଣ୍ଡ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଅଦ୍ୟାବଧି ଅପଲୋଡ୍ ହୋଇପାରିନାହିଁ। ନିୟମାନୁସାରେ, ଏହି ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍ଏଚ୍ଏଆଇକୁ ଯୋଗାଇ ଦିଆଯିବାକୁ ଥିଲେ ମଧ୍ୟ, ଉଭୟ ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପ୍ରକ୍ରିୟା ଅଟକି ରହିଛି।ଅନ୍ୟପଟେ, ଏହି ୮୧ କିଲୋମିଟର ବିଶିଷ୍ଟ ଦୁଇ-ଲେନ୍ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଦ୍ରୁତଗତିରେ ଆଗୁଆଁ ବଢ଼ୁଛି। ଏଥିପାଇଁ ଆବଶ୍ୟକ ୩(ଡି) ଗେଜେଟ୍ ନୋଟିଫିକେସନ୍ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ବର୍ତ୍ତମାନ ଜମିର ମୂଲ୍ୟ ନିର୍ଦ୍ଧାରଣ [୩(ଏଚ୍)] ପ୍ରକ୍ରିୟା ଚାଲିଛି। କିନ୍ତୁ ଜଙ୍ଗଲ ଵିଭାଗ ମଞ୍ଜୁରୀରେ ବିଳମ୍ବ ହେଲେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ପ୍ରକଳ୍ପର ବାସ୍ତବ କାର୍ଯ୍ୟାରମ୍ଭରେ ବଡ଼ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।ଏହି ପ୍ରସଙ୍ଗରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୁରୀ ଧାନ ସଂଗ୍ରହ କମିଟିର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଶ୍ରୀ ସ୍ୱାଇଁ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଏନ୍ଏଚ୍ଏଆଇର ଆଞ୍ଚଳିକ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।ଉପକୂଳ ଓଡ଼ିଶାର ଅର୍ଥନୀତି, କୃଷି, ମତ୍ସ୍ୟଚାଷ ଓ ପର୍ଯ୍ୟଟନ କ୍ଷେତ୍ରର ସମଗ୍ର ବିକାଶ ପାଇଁ ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ, ରାଜ୍ୟ ପ୍ରଶାସନ ଓ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ଫରେଷ୍ଟ କ୍ଲିୟରାନ୍ସ ସମ୍ବନ୍ଧୀୟ ଫାଇଲ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ସେ ଦାବି କରିଛନ୍ତି।
