ସର୍ବସାଧାରଣ ରାସ୍ତାରୁ ପୁରୁଣା/ଅବ୍ୟବହୃତ ଯାନବାହନ ହଟେଇବା ଅଭିଯାନରେ ୨୬ଟି ଯାନବାହନ ହଟାଗଲା

ପୁରୀ : ପୁରୀ ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ଓ ସୁଗମ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ବିଶେଷ ଅଭିଯାନ ଚଲାଜାଇଛି। ସହରର ବିଭିନ୍ନ ସର୍ବସାଧାରଣ ରାସ୍ତା, ଛକ, ବଜାର ଅଞ୍ଚଳରେ ଦୀର୍ଘ ସମୟ ଧରି ପାର୍କ କରି ରଖାଯାଇଥିବା ପୁରୁଣା ଓ ଅବ୍ୟବହୃତ ଯାନବାହନ ଗୁଡ଼ିକ ଯାତାୟାତ ଜାମର ମୁଖ୍ୟ ବାଧକ ହୋଇଥିବା ନଜର କରାଯାଇଥିଲା। ସୋମବାର ଅଭିଯାନରେ ସାର୍ବଜନିକ ରାସ୍ତାରେ ଦୀର୍ଘ ସମୟ ଧରି ରହିଥିବା ମୋଟ ୨୬ଟି ଯାନବାହନ ସେହି ସ୍ଥାନରୁ ହଟାଯାଇଛି । ଏହି ଯାନଗୁଡ଼ିକ ମଧ୍ୟରୁ କିଛି ଯାନ ଅଚଳ ଅବସ୍ଥାରେ ଥିବା ସହିତ କିଛି ଯାନ ମାଲିକଙ୍କ ଅବହେଳାରେ ରାସ୍ତାରେ ରଖାଯାଇଥିଲା, ଯାହା ଫଳରେ ସାଧାରଣ ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ପୁରୀ ସହର ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ସଂବେଦନଶୀଳ ଅଞ୍ଚଳ। ବିଶେଷକରି ଶ୍ରୀମନ୍ଦିର ପରିସର ଓ ସମୁଦ୍ରତଟ ଅଞ୍ଚଳରେ ଦିନକୁ ଦିନ ଭିଡ଼ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ରାସ୍ତା ଆର୍ଶ୍ଵ ପାର୍ଶ୍ଵରେ ଅବ୍ୟବସ୍ଥିତ ଭାବରେ ଯାନ ରଖାଯାଇଥିବାରୁ ଅପାତକାଳୀନ ସେବା ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀର ଚଳାଚଳରେ ବି ଅସୁବିଧା ସୃଷ୍ଟି ହେଉଛି।ସେଥିପାଇଁ ଏହି ପ୍ରକାର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଅଭିଯାନଟି ପୁରୀ ଏସ.ପି ଶ୍ରୀ ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଚାଲାଯାଇଥିଲା। ତାଙ୍କ ନିର୍ଦ୍ଦେଶ ଅନୁସାରେ ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ କରିବା, ରାସ୍ତା ଜାମ ହ୍ରାସ କରିବା ଓ ସାଧାରଣ ଲୋକଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ ପୋଲିସ ଦ୍ୱାରା ନିୟମିତ ଯାଞ୍ଚ ଓ ଅଭିଯାନ ଚାଲିଥିବାରୁ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ।ପୁରୀ ସହରର ଯେକୌଣସି ଅଞ୍ଚଳରେ ଯଦି କୌଣସି ନାଗରିକ ଦୀର୍ଘ ସମୟ ଧରି ତାଙ୍କର ଯାନବାହନ ସାର୍ବଜନିକ ରାସ୍ତାରେ ପାର୍କ କରି ରଖିଥାନ୍ତି, ତେବେ ଦୟାକରି ତତ୍କ୍ଷଣାତ୍ ସେହି ଯାନକୁ ସ୍ୱଇଚ୍ଛାରେ ହଟାଇ ନେବାକୁ ଅନୁରୋଧ କରାଯାଉଛି। ନହେଲେ ଆଇନୁଚିତ କାର୍ଯ୍ୟାନୁଷ୍ଠାନ କରାଯିବ।ଏହା ସମ୍ବନ୍ଧରେ ଯଦି କୌଣସି ଯାନମାଲିକଙ୍କୁ ସୂଚନା ଦେବେ ଟ୍ରାଫିକ ଥାନା ସହିତ ସମ୍ପର୍କ କରିପାରିବେ କିମ୍ବା ମୋବାଇଲ ନମ୍ବର 9438916388 ରେ ଯୋଗାଯୋଗ କରିପାରିବେ।ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ, ସହରର ସୁଚାରୁ ଯାତାୟାତ ବ୍ୟବସ୍ଥା ପାଇଁ ସମସ୍ତେ ସହଯୋଗ କରନ୍ତୁ ଓ ସାର୍ବଜନିକ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡି ପାର୍କ କରି ରଖିବେ ନାହିଁ। ସମସ୍ତଙ୍କ ସହଯୋଗ ଦ୍ୱାରା ପୁରୀ ସହରକୁ ଆହୁରି ଵେବସ୍ଥିତ ଓ ଯାତାୟାତମୁକ୍ତ କରାଯାଇପାରିବ।

Share the News .....

Leave a Reply

Your email address will not be published. Required fields are marked *