ଧାନରେ ରୋଗ ପୋକ ଦ୍ବାରା ଫସଲ ହାନି ଅଭିଯୋଗ ପରେ ଜିଲ୍ଲାସ୍ତରୀୟ ଯୁଗ୍ମ ଟିମ୍ର କ୍ଷେତ୍ର ପରିଦର୍ଶନ

ପୁରୀ : ବ୍ରହ୍ମଗିରି ବ୍ଲକରେ ରବି ଋତୁ ଧାନ ଫସଲରେ ରୋଗ–ପୋକ ଆକ୍ରମଣ ସମ୍ବନ୍ଧରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ (ଲୁଲୁ)ଙ୍କ ଅଭିଯୋଗ ପତ୍ର ପାଇବା ପରେ କୃଷି ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୁରୀଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଯୁଗ୍ମ ଟିମ୍ ୧୩ ଫେବୃଆରୀରେ ଗିରଳ ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ଧାନ କ୍ଷେତ୍ର, ପନିପରିବା ଚାଷ ଓ ମତ୍ସ୍ୟ ପୋଖରୀର ସ୍ଥିତି ଯାଞ୍ଚ କରିଥିଲେ। ଟିମ୍ରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ବ୍ରହ୍ମଗିରି ବ୍ଲକ କୃଷି ଅଧିକାରୀ, ସହାୟକ କୃଷି ଓ ଉଦ୍ୟାନ ଅଧିକାରୀମାନେ ସମ୍ମିଳିତ ଥିଲେ।ପରିଦର୍ଶନ ସମୟରେ ଜଣାପଡ଼ିଲା ଯେ ପୂର୍ବରୁ ଧାନ ଫସଲରେ ବ୍ଲାଷ୍ଟ ଓ ମୂଳ କ୍ଷୟ ରୋଗର ପ୍ରକୋପ ଥିଲା, କିନ୍ତୁ ଚାଷୀଙ୍କ ଦ୍ୱାରା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଜିଙ୍କ (ପ୍ରତି ଏକର ୪ କି.ଗ୍ରା.) ସହିତ ଟ୍ରାଇସାଇକ୍ଲାଜୋଲ ୭୫% ଡବ୍ଲୁପି ଓ ମାନକୋଜେବ ୬୪% ଡବ୍ଲୁପି ପ୍ରୟୋଗ କରାଯାଇଥିବାରୁ ଫସଲ ବର୍ତ୍ତମାନ ସୁସ୍ଥ ଅବସ୍ଥାରେ ରହିଛି। ହାର୍ଭେଷ୍ଟ ପରେ ମାଟି ପରୀକ୍ଷା କରାଇବାକୁ ଓ ଆଗାମୀ ଚାଷରେ ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ ପ୍ରଣାଳୀ ଅନୁସରଣ କରିବାକୁ ଟିମ୍ ପରାମର୍ଶ ଦେଇଛି। ସରକାରୀ ଯୋଜନା ଅନୁଯାୟୀ ୫୦ ଶତଂଶ ସବସିଡିରେ କୀଟନାଶକ କ୍ରୟ କରିବାକୁ ମଧ୍ୟ ସୂଚନା ଦିଆଯାଇଛି।ପିଆଜ ଫସଲରେ ଥ୍ରିପ୍ସ ପୋକ ଚିହ୍ନଟ ହେବାରୁ ଏସିଟାମିପ୍ରିଡ ୨୦% ଏସପି (୧ ଗ୍ରାମ୍/ଲିଟର ପାଣି) ସ୍ପ୍ରେ କରିବା ପାଇଁ ପରାମର୍ଶ ମିଳିଛି। ମତ୍ସ୍ୟ ପୋଖରୀ ପାଇଁ ପ୍ରତି ମାସ ୫୦ କି.ଗ୍ରା. କ୍ୟାଲସିୟମ୍ ଅକ୍ସାଇଡ୍/ହାଇଡ୍ରକ୍ସାଇଡ୍ ଦ୍ୱାରା ଲାଇମିଂ କରିବାକୁ ସୁପାରିଶ କରାଯାଇଛି।ଚାଷୀ ଶ୍ରୀ ରୁଦ୍ର ପ୍ରସାଦ ସିଂହ ଚାଷୀ ନେତା ପ୍ରଶାନ୍ତ ସ୍ଵାଇଁ ଙ୍କ ସମେତ କୃଷି ବିଭାଗର ଏପରି ତ୍ୱରିତ ପଦକ୍ଷେପ ପ୍ରତି ସନ୍ତୋଷ ପ୍ରକାଶ କରିଥିବା ବେଳେ, ସମଗ୍ର ବ୍ରହ୍ମଗିରି ବ୍ଲକରେ ନିୟମିତ କ୍ଷେତ୍ର ପରିଦର୍ଶନ ଓ ପ୍ରୟୋଗିକ ସହାୟତା ଜାରି ରଖିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇ ଆଗାମୀଦିନରେ ମଧ୍ୟ ଏଭଳି ଯୁଗ୍ମ ପରିଦର୍ଶନ ଜାରି ରହିବ, ଯାହାଦ୍ୱାରା ଫସଲ କ୍ଷତି କମିବ ଓ ଉତ୍ପାଦନ ବୃଦ୍ଧି ପାଇବ।
