ପୁରୀ ଐତିହ୍ୟ ପଦଯାତ୍ରାର ଉନବିଂଶ ସଂସ୍କରଣ

ପୁରୀ : ପୁରୀ ଐତିହ୍ୟ ପଦଯାତ୍ରାର ଉନବିଂଶ ସଂସ୍କରଣରେ ପଦଯାତ୍ରୀମାନେ ଲୋକନାଥ ମାର୍ଗ ଅନ୍ୱେଷଣ କରିଛନ୍ତି। ଯାତ୍ରା ଆରମ୍ଭରେ ଐତିହ୍ୟ ପ୍ରେମୀ ସଦସ୍ୟମାନେ ଛପନଛକ ସ୍ଥିତ ବର୍ଗୀ ମହାବୀର ମନ୍ଦିରରେ ଏକତ୍ରିତ ହୋଇ ଉକ୍ତ ସ୍ଥାନର ଇତିହାସ ବିଷୟରେ ଚର୍ଚ୍ଚା କରିଥିଲେ। ଐତିହ୍ୟାନ୍ୱେଷୀ ଅଶୋକା ମଞ୍ଜରୀ ନାୟକ ବର୍ଗୀ ମହାବୀରଙ୍କ ନାମକରଣ ଓ ମନ୍ଦିର ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ। ଲୋକନାଥ ଘାଟ ପଟରୁ ବର୍ଗୀ ବା ମରହଟ୍ଟା ମାନେ ପ୍ରବେଶ କରି ଆକ୍ରମଣ କରୁଥିଲେ। ତେଣୁ ସେହି ବାଟରେ ବର୍ଗୀ ଙ୍କ ଆରାଧ୍ୟ ହନୁମାନ ଙ୍କୁ ସ୍ଥାପନ କରାଯାଇଥିଲା।ଫଳରେ ବର୍ଗୀମାନେ ଏଠାରେ ହନୁମାନଙ୍କର ଦର୍ଶନ କରି ଆକ୍ରମଣ କରୁନଥିଲେ। ବର୍ଗୀ ଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଉକ୍ତ ହନୁମାନ ପ୍ରତିଷ୍ଠା ହୋଇଥିବାରୁ ଏହାଙ୍କୁ ବର୍ଗୀ ହନୁମାନ କୁହାଗଲା। ପଦଯାତ୍ରାର ପରବର୍ତ୍ତୀ ସ୍ଥାନ ଥିଲା ଦୁଃଖୀଶ୍ୟାମ ଛତା ମଠ। ଐତିହାସିକ ଦୃଷ୍ଟିକୋଣରୁ ଜଣାଯାଏ ଏହି ମଠ ଶ୍ରୀମନ୍ଦିରର ସମସାମୟିକ। ଲୋକକଥାନୁସାରେ ଚୋଡ଼ଗଙ୍ଗ ଦେବ ଏହିଠାରେ କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ । ତେଣୁ ସେ ଏଠାରେ ନୃସିଂହ ଓ ରାଧାମାଧବ ଙ୍କୁ ପ୍ରତିଷ୍ଠିତ କରାଇ ମନ୍ଦିର ତୋଳାଇଥିଲେ। ମଠର ମୁଖ୍ୟ ମନ୍ଦିର ଏକ ରେଖ ଦେଉଳ ରୂପେ ଦଣ୍ଡାୟମାନ, ଯାହା ସମୟକ୍ରମେ ଚୂନ ଧୌତ କରାଯାଇ ଧଳା ଦେଖାଯାଉଛି। ମଠ ପରିସରରେ ପୂର୍ବତନ ମହନ୍ତମାନଙ୍କର ଅନେକ ସମାଧି ମନ୍ଦିର ଦେଖିବାକୁ ମିଳିଲା।। ତେବେ ଯତ୍ନ ଅଭାବରୁ ବର୍ତ୍ତମାନ ମନ୍ଦିରର କିଛି ଅଂଶ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ପଦଯ।ତ୍ରା ସହ ସଂଯୋଜିକା ଅଶୋକା ମଞ୍ଜରୀ ନାୟକ ଏହି ମନ୍ଦିର ତଥା ମଠର ଇତିହାସ ଉପରେ ଅବଲୋକନ କରିଥିଲେ।

ତତ୍ପରେ ପଦଚାରୀମାନେ ଗିର୍ନାରୀ ବନ୍ତ ଅଭିମୁଖେ ଯାତ୍ରା କରିଥିଲେ। ଅଦ୍ୱୈତ ବ୍ରହ୍ମ ଆଶ୍ରମ ତଥା ସ୍ଥାନୀୟ ଭାବେ ଗିର୍ନାରୀ ବନ୍ତ ଭାବେ ପରିଚିତ ଏହି ଆଶ୍ରମ ତୋତାପୁରୀ ବାବାଙ୍କ ସାଧନା ଓ ସମାଧି ସ୍ଥଳ ଭାବେ ପରିଚିତ। ଏକ ବାଲିବନ୍ତ ଉପରେ ସବୁଜ ବନାନୀ ମଧ୍ୟରେ ଅଷ୍ଟାଦଶ ଶତାବ୍ଦୀରେ ଜଣେ ରମଣ ସନ୍ୟାସୀ ଦିଗମ୍ୱର ପରମହଂସ ଦେବ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ କ୍ଷେତ୍ରରେ ରହି ସାଧନା କରୁଥିଲେ। ଐତିହ୍ୟାନ୍ୱେଷୀ ରାଜେଶ୍ୱର ମହାନ୍ତି ଏହି ସ୍ଥାନ ବିଷୟରେ ବୁଝାଇବାକୁ ଯାଇ ବାବାଙ୍କର ବିଭିନ୍ନ ଅଲୌକିକତା ବ୍ୟାଖ୍ୟା କରିଥିଲେ। ଅଦ୍ୱୈତ ବାଦ ଉପରେ ଅଗାଧ ଜ୍ଞାନ ଅର୍ଜନ କରିଥିବା ଏହି ସନ୍ଥଙ୍କୁ ବାବା ତୋତାପୁରୀ ବୋଲି ମଧ୍ୟ ଲୋକେ କୁହନ୍ତି। ପଣ୍ଡିତ ରାମକୃଷ୍ଣ ପରମହଂସଙ୍କୁ ମହାସମାଧି କ୍ରିୟା ଶିକ୍ଷା ଦେଇଥିଲେ ବୋଲି ସେ କହିଥିଲେ। ଆଶ୍ରମ ପରିସରରେ ବାବାଙ୍କର ବ୍ୟବହୃତ ବିଭିନ୍ନ ସାମଗ୍ରୀ, ତୈଳଚିତ୍ର ଏବଂ ସେ ସମାଧି ନେଇଥିବା ଓ ସାଧନା କରୁଥିବା ଏକ ବିଶାଳ ବଟବୃକ୍ଷ ମୂଳରେ ବସି ପଦଯାତ୍ରୀମାନେ ଆନନ୍ଦ ଅନୁଭବ କରିଥିଲେ। ବାବା ତୋତାପୁରୀଙ୍କ ବିଷୟରେ କିଛି ପୁସ୍ତକ କିଣି ପଦଯାତ୍ରୀମାନେ ଆଗକୁ ବଢ଼ିଥିଲେ। ପରବର୍ତ୍ତୀ ସ୍ଥାନ ଶଙ୍କରପୁର ଅଭିମୁଖେ ବାହାରି ଶଙ୍କରେଶ୍ୱର ମହାଦେବଙ୍କ ଦର୍ଶନ ସହିତ ତାଙ୍କର ମହିମା ଶୁଣିଥିଲେ। ମନ୍ଦିରର ବିଭିନ୍ନ ସ୍ଥାପତ୍ୟରୁ ଏହା ସୋମବଂଶୀୟ କୀର୍ତ୍ତି ବୋଲି ଜଣାଯାଏ। ପଶ୍ଚିମାଭିମୁଖୀ ଏହି ମହାଦେବ ସ୍ଥାନୀୟ ଯାଦବମାନଙ୍କ ଆରାଧ୍ୟ। ଠାକୁର ଙ୍କ ଆବିର୍ଭାବ ସହିତ ଜଡିତ ଲୋକକଥା ,ବୈଶାଖ ପୂର୍ଣ୍ଣିମା ଦିନ କ୍ଷୀରସାଗର ମେଳା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ବିଷୟରେ ଅତି ସୁନ୍ଦର ଭାବରେ ପୁରୀ ଐତିହ୍ୟ ପଦଯାତ୍ରାର ଅନ୍ୟତମ ଯୁବ ସଦସ୍ୟ ଦୁର୍ଗାମାଧବ ମହାନ୍ତି ବୁଝାଇଥିଲେ।
ପଦଯାତ୍ରୀମାନେ ଏହା ପରେ ବାବା ଲୋକନାଥଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ। ଶ୍ରୀକ୍ଷେତ୍ରର ଦ୍ୱିତୀୟ ପାଣ୍ଡବ ଭୀମଙ୍କ ରୂପରେ ଅଭିହିତ ବାବା ଲୋକନାଥଙ୍କ ମନ୍ଦିରରେ ମହାଦେବ ଏବଂ ଉମା ମହେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ପ୍ରାଙ୍ଗଣରେ ବସି ଏହାର ସ୍ଥାପତ୍ୟ, ଇତିହାସ , ନୀତିକାନ୍ତି ଓ ପର୍ବପର୍ବାଣୀ ବିଷୟରେ ଆଲୋଚନା ଓ ଆଲୋକପାତ କରାଯାଇଥିଲା। ବାବା ଲୋକନାଥ ଙ୍କ ବିଷୟ ରେ ଅତି ସରଳ ଭାବରେ ପ୍ରିୟଙ୍କର ମହାରଣା ଓ ଜ୍ୟୋତ୍ସ୍ନା ମହାପାତ୍ର ଆଲୋକପାତ କରିଥିଲେ। ବିଭିନ୍ନ ଐତିହାସିକଙ୍କର ଏହି ମନ୍ଦିର ସମୟକାଳକୁ ନେଇ ଭିନ୍ନ ମତ ଥିବା ବେଳେ ବର୍ତ୍ତମାନର ମନ୍ଦିର ପୁରାତନ ମନ୍ଦିରକୁ ନୂଆ ରୂପ ଦେଇ ଉନ୍ନବିଂଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ବୋଲି କିଛି ସରକାରୀ ରିପୋର୍ଟରୁ ଜଣାଯାଏ। ପୌରାଣିକ ବର୍ଣ୍ଣନା ଅନୁସାରେ ବାବା ଲୋକନାଥ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ପ୍ରତିଷ୍ଠିତ। ତେବେ ବିଭିନ୍ନ ଲୋକକଥା ଓ ଐତିହାସିକ ତଥ୍ୟରୁ ଜଣାଯାଏ ଏହି ଲିଙ୍ଗ ଅତ୍ୟନ୍ତ ପ୍ରାଚୀନ। କୌଣସି ବ୍ୟକ୍ତିଙ୍କର ଶରୀରରେ କୌଣସି ଅଙ୍ଗ ରୋଗଗ୍ରସ୍ତ ଥିଲେ ବାବା ଲୋକନାଥଙ୍କ ପାଖରେ ମାନସିକ ରଖି ଉକ୍ତ ଅଙ୍ଗର ଧାତବ ସ୍ୱରୂପ ଦାନ କଲେ ଶରୀର ବ୍ୟାଧିମୁକ୍ତ ହୁଏ ବୋଲି ବିଶ୍ୱାସ ରହିଛି। ବାବାଙ୍କ ପଙ୍କୋଦ୍ଧାର ଏକାଦଶୀ, ଜାଗର ଯାତ୍ରା ତଥା ବୈଶାଖ ପୂର୍ଣ୍ଣିମା ଓ ଶୀତଳ ଶଷ୍ଠୀ ପର୍ବର ମହତ୍ୱ ଏବଂ ଲୋକମାନସରେ ଅଭୂତପୂର୍ବ ଆସ୍ଥା ନେଇ ବୁଝାଇଥିଲେ ପ୍ରିୟଙ୍କର। ଲୋକନାଥଙ୍କ ପୀଠରେ ଏହି ମାସର ଐତିହ୍ୟ ପଦଯାତ୍ରା ସମାପ୍ତ ହୋଇଥିଲା।

ଏହି ପଦଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ। ଏହି ପରିପ୍ରେକ୍ଷୀରେ ସମୂହର ମହିଳା ପଦଯାତ୍ରୀମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥଲା। ସଂଯୋଜକ ଡକ୍ଟର କୁମାର ଅରୋଜ୍ୟୋତି ଓ ସହ ସଂଯୋଜିକା ଅଶୋକା ମଞ୍ଜରୀ ନାୟକଙ୍କ ପଥପ୍ରଦର୍ଶନରେ ଯାତ୍ରା ସମାପ୍ତ ହୋଇଥିଲା। ଏଥିରେ ଯୋଗଦେଇଥିବା ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଦେବାଶିଷ ମିଶ୍ର, ରିତୁ ପଟ୍ଟନାୟକ, ସୁପ୍ରଭା ସାହୁ, ସୁବ୍ରତ କୁମାର ବଳ, ତନ୍ମୟ ଚାଟାର୍ଜୀ, ସସ୍ମିତା ପଟ୍ଟନାୟକ, ସୁମନ ମଣ୍ଡଳ, ଦେବୀ ପ୍ରସାଦ ଧର, ଅମ୍ବିକା ପ୍ରସାଦ ମିଶ୍ର, ସୁନିଲ କୁମାର ପଲେଇ, ସୌମେନ୍ଦ୍ର କୁମାର ଦାସ, ବିଶ୍ୱମୋହନ ସାହୁ ଓ ସତ୍ୟପ୍ରକାଶ ନାୟକ ପ୍ରଭୃତି ଯୋଗ ଦେଇ ପଦଯାତ୍ରାକୁ ସଫଳ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *