ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ

ପୁରୀ : ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ ଭାବରେ ଅଭିଯାନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ପୁରୀ ଏସ୍.ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ମଦ ବିକ୍ରି କରୁଥିବା ଏକ ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାରଦିନ ସତ୍ୟବାଦୀ ଥାନା ଅଧୀନ ରାୟଚକ୍ରଧରପୂର ଗ୍ରାମ ନଦୀବନ୍ଧ ଅଞ୍ଚଳରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣକରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ କରାଯାଇଛି। ପୋଲିସ ଏବଂ ତହସିଲ ପ୍ରଶାସନଙ୍କ ଉପସ୍ଥିତିରେ ରାୟଚକ୍ରଧରପୂର ଗ୍ରାମର ସ୍ଵର୍ଗତ ମାଗୁଣି ଭୋଇଙ୍କ ପୁତ୍ର ପ୍ରଦୀପ କୁମାର ଭୋଇଙ୍କର ଗୃହ ଉଚ୍ଛେଦ କରାଯାଇଛି। ସେ ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରି କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା ନେଇ ଅଭିଯୋଗ ଥିଲା। ଏହି ସୂଚନା ମିଳିବା ପରେ ପୁରୀ ଏସ୍.ପି ଶ୍ରୀ ପ୍ରତୀକ ସିଂ ସତ୍ୟବାଦୀ ଥାନା ପୋଲିସକୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ତହସିଲ ପ୍ରଶାସନସହ ସମନ୍ୱୟ କରି ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ କୁମାର ଭୋଇ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି। ତଥାପି ସେ ପୁଣିଥରେ ବେଆଇନ କାର୍ଯ୍ୟରେ ଜଡିତ ହୋଇଥିବାରୁ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ନିଜ ଅଞ୍ଚଳରେ କେହି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକଳାପ କରୁଥିବା ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବେ। ଆପଣଙ୍କର ସୂଚନା ଗୁପ୍ତ ରଖାଯିବ ଏବଂ ପୋଲିସ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
